ଆଠଗଡ : ଆଠଗଡରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗ୍ରହଣ ବେଳେ ଭୋଟ କେନ୍ଦ୍ରରେ କେବଳ କେତେକ ସ୍ଥାନରେ ସାମାନ୍ୟ ଉତ୍ତେଜନା ଓ ଉଚ୍ଚବାଚ ହୋଇଥିଲେ ମଧ୍ୟ ମତଦାନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିଲା । କିନ୍ତୁ ମତଦାନ ଶେଷ ହେବା ପରେ କେତେକ ପଞ୍ଚାୟତରେ ଉତ୍ତେଜନା ଲାଗି ରହିବା ସହିତ ମାଡପିଟ ହେବା ଫଳରେ ୯ ଜଣ ଆହତ ହେବା ସହିତ ପୁରୁଣା କଟକ-ସମ୍ବଲପୁର ରାସ୍ତାର ହରିଡାଗହିର ଠାରେ ରାସ୍ତାରୋକ କରାଯାଇଥିଲା । ତେବେ ଏହି ଗଣ୍ଡଗୋଳର କାରଣ ଶାସକ ଓ ବିରୋଧି ନୁହେଁ ବରଂ ଶାସକ ବିଜୁ ଜନତା ଦଳର ସମର୍ଥିତ ପ୍ରାର୍ଥୀଭାବେ ଗୋଟିଏ ଗୋଟିଏ ପଞ୍ଚାୟତରେ ୨ ରୁ ଅଧିକ ପ୍ରାର୍ଥୀ ରହିବା ଫଳରେ ସେହି ଶାସକ ଦଳର ଦୁଇଗୋଷ୍ଠୀ ମଧ୍ୟରେ ପ୍ରାୟ ସବୁ ସ୍ଥାନରେ ଏହିଭଳି ଉତ୍ତେଜନା ଓ ମାଡପିଟ ହୋଇଥିବା ଜଣାପଡିଛି । ଜୋରନ୍ଦା ପଞ୍ଚାୟତରେ ଏହିଭଳି ଘଟଣା ଦେଖିବାକୁ ମିଳିଛି ।
ଏହି ପଞ୍ଚାୟତ ଅଧିନ କରିକୋଲ ଓ ହରିଡାଗହିର ଗ୍ରାମର ବିଜେଡି ସମର୍ଥକ ଗୋଷ୍ଠୀଙ୍କ ମଧ୍ୟରେ ମାଡପିଟ ହେବା ଫଳରେ କରିକୋଲଗ୍ରାମର ୩ ଜଣ ଆହତ ହୋଇଥିବାବେଳେ, ହରିଡାଗହିର ଗ୍ରାମର ମଧ୍ୟ କିଛି ଯୁବକ ଆହତ ହୋଇଥିବା ଜଣାପଡିଛି । କରିକୋଲ ଗ୍ରାମର ଶତାଧିକ ଲୋକ ଆହତ, ୩ ଜଣଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଇବା ପରେ ଥାନାରେ ଜମା ହୋଇଥିବାବେଳେ, ସେପଟେ ହରିଡାଗହିର ଗ୍ରାମବାସୀ କଟକ-ସମ୍ବଲପୁର ରାସ୍ତାକୁ ନିଜ ଗ୍ରାମ ନିକଟରେ ଟାୟାର ଜାଳି ଅବରୋଧ କରିଥିଲେ । ପରେ ଆଇଆଇସି ବାମଦେବ ସ୍ୱାଇଁ ଅନ୍ୟ ପୁଲିସ ଅଧିକାରୀ ଓ ମାଜିଷ୍ଟ୍ରେଟ ତଥା ତହସିଲଦାର ପ୍ରିୟବ୍ରତ ଦାସଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବାର ୨ ଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିଲା । ସହିପରି ତରଡିଙ୍ଗ ପଞ୍ଚାୟତର ତରଡିଙ୍ଗ ଓ ବାଇଲୋ ଗ୍ରାମର ବିଜେଡିର ଦୁଇ ଗୋଷ୍ଠୀ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଓ ବାଡିଆପିଟା ହୋଇଥିବା ଜଣାପଡିଛି ।

ଏଥିରେ ବାଇଲୋର ୪ ଜଣ ଓ ତରଡିଙ୍ଗର କେତେକ ଯୁବକ ଆହତ ହୋଇଥିବା ଜଣାପଡିଛି । କରିକୋଲ, ହରିଡାଗହିର ଓ ବାଇଲୋ ଗ୍ରାମର ଆହତମାନଙ୍କ ପକ୍ଷରୁ ଆଠଗଡ ଥାନାରେ ଏ ସଂପର୍କରେ ଲିଖିତ ଅଭିଯୋଗ ହୋଇଛି । ଏତଦ୍ବ୍ୟତୀତ ସଠିଲୋ ପଞ୍ଚାୟତରେ ମଧ୍ୟ ନିର୍ବାଚନ ବେଳେ କୁଆଁଳ ବୁଥରେ ବିଜେପି ଏଜେଣ୍ଟଙ୍କୁ ବୁଥରୁ ବାହାର କରିଦେବା ନେଇ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା । କିନ୍ତୁ ନିର୍ବାଚନ ପରେ ସଠିଲୋରେ ବିଜେଡିର ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ମାଡପିଟ ହୋଇଥିବା ସୂଚନା ମିଳିଛି । ବିନୋଦ କୁମାର ମହାନ୍ତି ଓ ପଙ୍କଜ ରାଉତ ଏଥିରେ ଆହତ ହୋଇଥିବାବେଳେ ସେମାନେ ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏବେ ସଠିଲୋ ଗ୍ରାମରେ ଶାସକ ଦଳର ଜଣେ ଛାମୁଁଆ ନେତାଙ୍କ ପ୍ରରୋଚନାରେ ଏପରି ଗଣ୍ଡଗୋଳ ହୋଇଥିବା ଅଭିଯୋଗ କରି ଶତାଧିକ ଲୋକ ଗ୍ରାମର କୋଠଘର ନିକଟରେ ଜମାହୋଇ ହୋ ହଲ୍ଲା କରୁଥିବା ଜଣାପଡିଛି ।
ସେଠାରେ ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ଏସଡିପିଓ ବିଜୟ କୁମାର ବିସି ବହୁ ସଂଖ୍ୟକ ପୁଲିସ ଫୌଜ ସହିତ ସେଠାରେ ଅଦ୍ୟାବଧି ଉପସ୍ଥିତ ରହିଛନ୍ତି । ସେହିପରି ଅନନ୍ତପୁର ପଞ୍ଚାୟତର ଏକ ବୁଥରେ ଜବରଦଖଲ କରି ଶାସକଦଳର ସମର୍ଥକମାନେ ମନଇଚ୍ଛା ଭୋଟରଙ୍କ ଅନୁପସ୍ଥିତିରେ ସେମାନଙ୍କ ନାମରେ ଭୋଟ ଦେଉଥିବା ଶୁଣି ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ସେଠାରେ ପହଞ୍ଚିବାରୁ ତାଙ୍କୁ ମଧ୍ୟ ଗାଳିଗୁଲଜ ସହ ଠେଲା ପେଲା କରିଥିବା ଅଭିଯୋଗ ହେଉଛି । ଏହାକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବା ସହ ଏହାକୁ ସେମାନେ ନିନ୍ଦା କରିଛନ୍ତି ।
