ଗୁଡଭେଲା : ବଲାଙ୍ଗିର ଜିଲା ଗୁଡଭେଲା ପଞ୍ଚାୟତ ସମିତିର ଆଭ୍ୟନ୍ତରିଣ ଅଞ୍ଚଳ ଜାମୁଟ । ଜାମୁଟ ରୁ ଗମ୍ଭାରୀଗୁଡ଼ା ଯାଏ ୪.୧୦ କିଲୋମିଟର୍ ରାସ୍ତା ଗ୍ରାମ୍ୟ ନିର୍ମାଣ ବିଭାଜନ ବଲାଙ୍ଗିର ପକ୍ଷରୁ କରାଯାଇଛି । ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ୧୯୬.୯୪୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ରାସ୍ତା ୨୦୧୬ ଡିସେମ୍ବର ୨୩ ତାରିଖରେ ଆରମ୍ଭ କରାଯାଇଥିଲା ଓ ୨୦୧୭ ସେପଟେମ୍ବର ୨୨ ତାରିଖରେ ଶେଷ ହୋଇଥିବା ଫଳକରେ ଉଲ୍ଲେଖ ରହିଛି । ଆଉ ରକ୍ଷଣାବେକ୍ଷକ କାର୍ଯ୍ୟ ପାଇଁ ୫ ବର୍ଷ ସମୟ ଦିଆଯାଇଛି । ଏହି ରାସ୍ତା କାମ ତିଳକଚାନ୍ଦ ଅଗ୍ରୱାଲ ନାମକ ଠିକାଦାର କରିଥିବା ଜଣାପଡିଛି । କିନ୍ତୁ ରାସ୍ତା ନିର୍ମାଣ ହେବାର କିଛି ବର୍ଷ ପରେ ଅବସ୍ଥା ଶୋଚନୀୟ ହୋଇପଡିଛି । ଖାଲଖମାରେ ଭର୍ତ୍ତି ହୋଇଛି । ଆଉ ମରାମତି ନାଁରେ କିଛି ସ୍ଥାନରେ ଚିପ୍ସ ପକାଇ ଦିଆଯାଇଛି । ଅଣ ଓସାରିଆ ଏହି ରାସ୍ତାରେ ବାଇକ୍ ଚାଳକମାନେ ବିଶେଷ ଭାବେ ହଇରାଣ ହେଉଛନ୍ତି । ଚିପ୍ସରେ ପଡି ବାଇକ ଚାଳକ ଖସି ଯିବା ସହ ଦୁର୍ଘଟଣା ଘଟୁଛି । ଏହା ଉପରେ ଗ୍ରାମ୍ୟ ନିର୍ମାଣ ବିଭାଜନର ନିର୍ବାହୀ ଯନ୍ତ୍ରୀ ଦୃଷ୍ଟି ଦେବା ସହ କାମ ଶେଷ ହେବାର ୫ ବର୍ଷ ପୂରି ନାହିଁ । ତେଣୁ ରାସ୍ତାର ମରାମତି ଭଲ ଭାବେ କରିବାକୁ ଦାବି ହେଉଛି । ଅଧପନ୍ତରିଆ ଭାବେ ରାସ୍ତା ମରାମତି କରି ଲୋକଙ୍କୁ ଠକିବାକୁ ପ୍ରୟାସ କରାନଯାଉ ବୋଲି ଲୋକେ ମତ ଦେଇଛନ୍ତି ।
