ନୀଳଗିରି : ମହାବିଦ୍ୟାଳୟର ମହିଳା ହିସାବରକ୍ଷକଙ୍କୁ ଅଶାଳୀନ ବ୍ୟବହାର କରିବା ତଥା ଇଛାକୃତ ଭାବେ ହଇରାଣ କରିବା ଅଭିଯୋଗରେ ମଙ୍ଗଳବାର ଥାନାରେ ଏତଲା ଦାଏର ହୋଇଛି । ନୀଳଗିରି ବ୍ଲକ ମିତ୍ରପୁରସ୍ଥିତ ସ୍ୱର୍ଣ୍ଣଚୂଡ଼ ମହାବିଦ୍ୟାଳୟରେ ୨୦୧୭ ମସିହାଠାରୁ କୁଅଁରପୁର ମାହାଲ ଅଞ୍ଚଳର ଉକ୍ତ ମହିଳା କିରାଣି ଭାବେ ଚାକିରି କରିଥିଲେ । କିଛିମାସ ପୂର୍ବରୁ ତାଙ୍କୁ ହିସାବରକ୍ଷକ (ଆକାଉଣ୍ଟାଣ୍ଟ) ଭାବେ ନିୟୋଜିତ କରାଯାଇଥିଲା । କିନ୍ତୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଇଛାକୃତ ଭାବେ ସମ୍ପୃକ୍ତ ମହିଳାଙ୍କୁ ହଇରାଣ କରିବା ସହ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି । ଏପରିକି ପ୍ରତିବାଦ କରିଲେ ଚାକିରିରୁ ବିଦା କରିବା ଧମକ ଦେଇଥିବା ନେଇ ମହିଳା ଜଣକ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସେ ନୀଳଗିରି ଥାନାରେ ଏକ ଏତଲା ଦେଇଛନ୍ତି । ସେପଟେ ହିସାବରକ୍ଷକ ଏବଂ ଅନ୍ୟଜଣେ ଠିକା କର୍ମଚାରୀଙ୍କୁ, ଅଧ୍ୟକ୍ଷ କାର୍ଯ୍ୟରୁ ବହିଷ୍କାର କରିଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ ଉପରୋକ୍ତ ଅଭିଯୋଗ ସମ୍ପର୍କରେ ମହାବିଦ୍ୟାଳୟ ଅଧ୍ୟକ୍ଷ, ତାଙ୍କ ନାମରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ମହାବିଦ୍ୟାଳୟର ଛାତ୍ରଙ୍କ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଦୁଇଜଣଙ୍କୁ ଛଟେଇ କରାଯାଇଛି ଓ ସେମାନଙ୍କ ନାଁରେ ଗତ ୨୭ ତାରିଖରେ ଥାନାରେ ଏତଲା ଦାଏର କରାଯାଇଛି ବୋଲି ଜଣାଇଛନ୍ତି । ତେବେ ସ୍ୱର୍ଣ୍ଣଚୂଡ଼ ମହାବିଦ୍ୟାଳୟରେ ଚାଲିଥିବା କର୍ମଚାରୀ ଅଶାନ୍ତି ଘଟଣାରେ ଅଧ୍ୟକ୍ଷଙ୍କ ନା କର୍ମଚାରୀଙ୍କ ଦୋଷ ତାହା ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି ।
