ତେନ୍ତୁଳିଖୁଣ୍ଟି : ନବରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଓ ଯୁବ ରେଡ଼କ୍ରସ ତରଫରୁ ବିଶ୍ୱ ଏଡସ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଜାତୀୟ ସେବା ଯୋଜନା ଜିଲ୍ଲା ସଂଯୋଜକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା ଏବଂ କଲେଜ ସଂଯୋଜକ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା କଲେଜ ସାରା ଶ୍ରେଣୀ ଶ୍ରେଣୀ ବୁଲି ଛାତ୍ର ଛାତ୍ରୀଙ୍କୁ ଏଡସ ବିଷୟରେ ସଚେତନ କରିଥିଲେ । ଏଥିନିମନ୍ତେ ଆୟୋଜିତ କର୍ମଶାଳାକୁ ଉଦଘାଟନ କରି ଅଧ୍ୟକ୍ଷ ଡ଼ଃ. ବିନୋଦ ଚନ୍ଦ୍ର ନାୟକ ସାମ୍ପ୍ରତିକ ସମୟରେ ଭାରତରେ ଏଡସର ସ୍ଥିତି ଓ ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଳା ସଂଯୋଜକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା ଏଡସ ଦିବସ ପାଳନର ଆବଶ୍ୟକତା ବିଷୟରେ ବକ୍ତବ୍ୟ ଦେବା ସହ ଆଗାମୀ ଦିନରେ ଛାତ୍ରଛାତ୍ରୀମାନେ ନିଜ ନିଜ ଗ୍ରାମରେ ସଚେତନତା ସୃଷ୍ଟି ପାଇଁ ଆହ୍ୱାନ ଦେଇଥିଲେ।

ଜିଲ୍ଲା ଯୁବ ରେଡ଼କ୍ରସ ଜିଲ୍ଲା ସମ୍ପାଦକ ଡ଼ଃ ଭାସ୍କର ନାଥ ବିଶ୍ୱାଳ ” ଏଡସ କଣ, କେବେ, କାହିଁକି ? “ଶୀର୍ଷକ ଏକ ବୃତ୍ତ ଚିତ୍ର ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଗଣିତ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ଡ଼ଃ. ନୀଳାଚଳ ମିଶ୍ର ବିଶ୍ଵ ଏଡସ ଦିବସର ଏ ବର୍ଷର ଥିମ ବା ଆହ୍ୱାନ ଉପରେ ବକ୍ତବ୍ୟ ପ୍ରଦାନ କରିବା ସହ ସଚେତନତା ଅଭିଯାନ ହିଁ ସମାଜରୁ ଅସମାନତା ଦୁର କରିପାରିବ ବୋଲି କହିଥିଲେ । ଏହାପରେ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଜାହାଙ୍ଗିର ମହମ୍ମଦ ଏଡସ ବିରୁଦ୍ଧରେ ସଚେତନତା ଅଭିଯାନରେ ସ୍ବେଚ୍ଛାସେବୀମାନେ ପ୍ରମୂଖ ଭୂମିକା ନେଇପାରିବେ ବୋଲି କହିବା ସହ ଏଡସର ସୃଷ୍ଟି, ସ୍ଥିତି ଓ ପ୍ରକାଶ ଉପରେ ଏକ ବୃତ୍ତ ଚିତ୍ର ପ୍ରଦାନ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଶ୍ରୀ ଶମ୍ଭୁ ପ୍ରସାଦ ହୋତା । କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ଜିଲ୍ଳା କୋର୍ଟ ଦ୍ୱାରା ଆୟୋଜିତ ଏକ ଅଭାସି କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହେବା ସହ ପ୍ରୋଜେକଟର ମାଧ୍ୟମରେ ଉପଭୋଗ କରିଥିଲେ ।ଏଥିରେ ମହାବିଦ୍ୟାଳୟର ତିନିଜଣ ଛାତ୍ରୀ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମର ସଂଚାଳିକା ଥିଲେ ଅଧ୍ୟାପିକା ମାନସୀ ମହାପାତ୍ର ଓ ଅଧ୍ୟାପିକା ଶ୍ରୀୟା ତ୍ରିପାଠୀ । ପ୍ରକୃତରେ ଏଡସ ଦିବସ ପାଳନ ଦ୍ୱାରା ଛାତ୍ରଛାତ୍ରୀଙ୍କ ଭିତରେ ସଚେତନତା ସୃଷ୍ଟି ସହ ଆଗାମୀ ଦିନରେ ଏକ ସଚେତନ ସମାଜ ପ୍ରତିଷ୍ଠା ପାଇଁ ସହାୟକ ହୋଇପାରିବ ବୋଲି ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ ।
