ପିହୁ ନିଖୋଜ ଘଟଣା ୧୫ ମାସ ପୂରିଲା, ହେଲେ ଝିଅକୁ ପାଇଲେନି ମା’ , ଏନେଇ ସଂସଦ ଭବନ ସମ୍ମୁଖରେ ଧାରଣାରେ ବସିବେ ମା’ ମୋନାଲିସା

ବିଞ୍ଝାରପୁର : ବହୁ ଚର୍ଚ୍ଚିତ ଶିଶୁକନ୍ୟା ଶୁଭଲକ୍ଷ୍ମୀ ନାୟକ (ପିହୁ) ନିଖୋଜ ଘଟଣାକୁ ୧୫ ମାସ ବିତିଲା । ତଥାପି ପୁଲିସ ହାତ ଖାଲି । ଘଟଣାକୁ ନେଇ ପିହୁର ମା’ ମୋନାଲିସା ନାୟକ କ୍ଷୋଭ ପ୍ରକାଶ କରିବା ସହ ଡିସେମ୍ବର ୫ ରେ ସଂସଦ ଭବନ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ଯାଜପୁର ଜିଲା ବିଞ୍ଝାରପୁର ଥାନା ସୁନ୍ଦରପୁର ଗ୍ରାମର ଦେଢବର୍ଷର ଶିଶୁକନ୍ୟା ପିହୁ ୨୦୨୦ ଅଗଷ୍ଟ ୯ ତାରିଖରେ ଗଁ। ଦାଣ୍ଡରେ ଖେଳୁଥିବାବେଳେ କେହି ଦୁର୍ବୃତ୍ତ ତାକୁ ଉଠାଇ ନେଇଥିଲେ । ଏ ସଂପର୍କରେ ମୋନାଲିସା ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ । ବିଞ୍ଝାରପୁର ପୁଲିସ ଘଟଣାକୁ ହାଲୁକା ଭାବେ ଗ୍ରହଣ କରିବାସହ ଏକ ଅପହରଣ ମାମଲା ରୁଜୁ କରି ଚୁପ୍ ବସିଯାଇଥିଲା । ଘଟଣାକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ପୁଲିସ ଉପରେ ଚାପ ସୃଷ୍ଟି କରାଯିବା ସହିତ ରାଜ୍ୟ ସରକାରଙ୍କୁ ଘେରିଥିଲେ । ଝିଅକୁ ପାଇବାପାଇଁ ମୋନାଲିସା ଆରକ୍ଷୀ ଅଧୀକ୍ଷକଙ୍କଠାରୁ ଜିଲାପାଳ, ରାଜ୍ୟ ପୁଲିସ ମୁଖ୍ୟାଳୟ, ରାଜ୍ୟ ମହିଳା କମିସନଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ଛଡ଼ା କିଛି ପାଇନଥିବା ମୋନାଲିସା କହିଛନ୍ତି । ଝିଅକୁ ପାଇବା ଦାବିରେ ମୋନାଲିସା ଦିଲ୍ଲୀ ଯିବେ ଏବଂ ଜାତୀୟ ମାନବାଧିକାର କମିସନ, ଜାତୀୟ ମହିଳା କମିସନ, ଜାତୀୟ ଶିଶୁ କମିସନ, ଓଡ଼ିଶାର ୨ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଅନ୍ୟ ସାଂସଦଙ୍କୁ ଭେଟି ନିଜର ଦୁଃଖ ଜଣାଇବା ସହ ସହଯୋଗ ଲୋଡ଼ିବା ସହ ଡିସେମ୍ବର ୫ ତାରିଖରେ ସଂସଦ ଭବନ ସମ୍ମୁଖରେ ଧାରଣାରେ ବସିବେ ବୋଲି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *