ବାରିପଦା : ଇନ୍ଦ୍ରାବତୀ ଜଳଭଣ୍ଡାରରେ ପାଣି ଅଭାବ । କଳାହାଣ୍ଡିର ରବି ଫସଲ ସହ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା l ଚଳିତ ବର୍ଷ ରବି ଫସଲ ପାଇଁ ମାତ୍ର ଦଶ ହଜାର ହେକ୍ଟର ଜମିକୁ ପାଣି ଯୋଗାଣ ଘୋଷଣା ପରେ ତେଜୁଛି ଚାଷୀ ଆନ୍ଦୋଳନ l ଚଳିତ ବର୍ଷ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳ ଅଭାବ । ବର୍ତମାନ ଭଣ୍ଡାରରେ ରହିଛି ମାତ୍ର ୬୩୧.୫୦ ମିଟର ଉଚ୍ଚର ପାଣି l ବିଭାଗୀୟ ସୂଚନା ଅନୁଯାୟୀ, ୬୨୭ ମିଟର ପାଣି ପରେ ଜଳଭଣ୍ଡାରରୁ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହେବ । ଜଳ ସଙ୍କଟକୁ ଆଖି ଆଗରେ ରଖି ଇନ୍ଦ୍ରାବତୀ ଜଳ ସେଚନ କର୍ତ୍ତୃପକ୍ଷ ଚଳିତ ବର୍ଷ ରବି ଚାଷ ପାଇଁ ଜିଲାରେ ମାତ୍ର ଦଶ ହଜାର ହେକ୍ଟର ଚାଷ ଜମିରେ ଜଳ ସେଚନ ପାଇଁ ବ୍ୟବସ୍ଥା କରିଛନ୍ତି । ଯାହାକୁ ନେଇ ଚାଷୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି l ଏହାର ପୁନଃ ସମୀକ୍ଷା ପାଇଁ ଜିଲ୍ଲାପାଳଙ୍କ ଠାରୁ ଇନ୍ଦ୍ରାବତୀ କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ ସତ୍ୱେ କୋଣସି ପ୍ରତିଶ୍ରୁତି ନମିଳିବା ପରେ ଚାଷୀ ପର୍ଯ୍ୟାୟ କ୍ରମରେ ଆନ୍ଦୋଳନ ଜାରି ରଖିଛନ୍ତି l ଇନ୍ଦାବତୀ କେନାଲ ଡିଭିଜନର ସୂଚନା ଅନୁଯାୟୀ, ଚଳିତ ବର୍ଷ ଇନ୍ଦ୍ରାବତୀ ମୁଖ୍ୟ କେନାଲରେ ୮ କିମି ଓ ଗତ ବର୍ଷ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ମେଗା ଉଠା ଜଳସେଚନ ପ୍ରକଳ୍ପର ୧୫ କିମି ପର୍ଯ୍ୟନ୍ତ ପାଣି ଯୋଗାଣ ହେବ l ଫଳରେ ଇନ୍ଦ୍ରାବତୀ ତଳମୁଣ୍ଡ ଚାଷୀ ଦୋଫସଲି ଚାଷଠାରୁ ବଞ୍ଚିତ ହେବେ ଯାହାକୁ ନେଇ ଚାଷୀ ଆନ୍ଦୋଳନ ତେଜୁଛି l ମେଗା ଉଠା ଜଳସେଚନ ପ୍ରକଳ୍ପକୁ ପ୍ରଥମ ଥର ପାଇଁ ରବି ଚାଷରେ ଅନ୍ତର୍ଗତ କରାଯାଇଥିବା ବେଳେ ଏହାକୁ ବାତିଲ କରିବାକୁ ଚାଷୀ ଦାବି କରି ତଳ ମୁଣ୍ଡକୁ ଅଗ୍ରାଧିକାର ଦେବାକୁ ଅଡ଼ି ବସିଛନ୍ତି l ବାରମ୍ବାର ଚାଷୀ ଅଭିଯୋଗ ସତ୍ୱେ ପ୍ରଶାସନର ନୀରବତା ହି ଚାଷୀଙ୍କୁ ରାଜରାସ୍ତାକୁ ଓହ୍ଲାବାକୁ ବାଧ୍ୟ କରିଛି l ଯାହା ଆଗାମୀ ଦିନରେ ତୀବ୍ରତର ହେବା ଆଶଙ୍କା ରହିଛି l ଇନ୍ଦ୍ରାବତୀ ଜଳଭଣ୍ଡାରରେ ପାଣି ଅଭାବର ମୁଖ୍ୟ କାରଣ ବିଭିନ୍ନ ସ୍ରୋତରୁ ପାଣି ଆସିବା ବନ୍ଦ ସହ ଉତ୍କଳ ରିଫାଇନାରୀକୁ ପାଣି ଯୋଗାଣ l ସେହିପରି ଜିଲ୍ଲାର ଜଳ ସେଚନର ଆୟତ୍ତନ ବୃଦ୍ଧି, ରବି ଫସଲ ଚାଷ ଉପରେ ସିଧାସଳଖ ପ୍ରଭାବ ପକାଇବ l ଯାହା ଆଗାମୀ ଦିନରେ ବିଦ୍ୟୁତ ଉତ୍ପାଦନ ସହ ଜଳ ସେଚନ ଉପରେ ଗଭୀର ପ୍ରଭାବ ପକାଇବା ନେଇ ଆଶଙ୍କ। ସୃଷ୍ଟି ହୋଇଛି ।
