ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ନବଜାତ ଶିଶୁ କନ୍ୟା ଚୋରି ଅଭିଯୋଗ ଆଣିଲେ ପରିବାର ଲୋକେ । ଜିଲ୍ଲାର ବୀରମହାରାଜପୁର ବ୍ଲକ୍ ବାଗବର ପଞ୍ଚାୟତ ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡି ଓ ସନ୍ତୋଷିନୀ ତାଣ୍ଡିଙ୍କ ଶିଶୁ କନ୍ୟା ଚୋରି ନେଇ ଅଭିଯୋଗ ଆଣିଛନ୍ତି । ଶୁକ୍ରବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୋବିନ୍ଦଙ୍କ ଶିଶୁ କନ୍ୟା ଜନ୍ମ ନେଇଥିଲେ । ଶନିବାର ସକାଳୁ ଟିକା କେନ୍ଦ୍ରରୁ ଶିଶୁକୁ ଟିକା ଦେବାକୁ ନେଇ ଯାଉଥିବାବେଳେ ଜଣେ ମହିଳା ଟିକା ଦେଇ ଦେବାକୁ କହି ଶିଶୁ କନ୍ୟାକୁ ନେଇଯାଇଥିବା ଅଭିଯୋଗ ହୋଇଛି । ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇନଥିଲେ ବି ପୋଲିସ ଡାକ୍ତରଖାନାରେ ପହଞ୍ଚି ଅଧିକ ତଦନ୍ତ କରୁଛି । ପରିବାର ପକ୍ଷରୁ ଶିଶୁ କନ୍ୟାକୁ ଖୋଜାଖୋଜି ଚାଲିଛି । ସମ୍ପୃକ୍ତ ମହିଳାକୁ ମଧ୍ୟ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇପାରିନାହିଁ ।
