ଭୁବନେଶ୍ବର : ନୟାଗଡ଼ ଜିଲ୍ଲାର ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରୁଷିନାଥ ବରାଳଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉରେ ମିଳିଥିବା ଆୟବହିର୍ଭୂତ ସଂପତ୍ତିର ତାଲିକା ଦେଇଛି ଭିଜିଲାନ୍ସ । ଆୟବହିର୍ଭୂତ ସମ୍ପତ୍ତିର ଆନୁମାନିକ ମୂଲ୍ୟ ୨ କୋଟି ୭୦ ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାଯାଇଛି । ଏତଦବ୍ୟତୀତ ଘର ଖୋଜାଖୋଜି ସମୟରେ ୩୫ ହଜାର ମୂଲ୍ୟର ବିମୁଦ୍ରୀକରଣ ମୁଦ୍ରା (୫୦୦ ଟଙ୍କିଆ ନୋଟ୍) ଜବତ କରାଯାଇଥିଲା । ଏନେଇ ଅଧିକ ତଦନ୍ତ ଜାରି ରହିଛି । ଭିଜିଲାନ୍ସ ବିଭାଗର ସୂଚନା ଅନୁଯାୟୀ, ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରୁଷିନାଥ ବରାଳଙ୍କୁ ଗିରଫ କରାଯାଇ ଆଜି କୋର୍ଟଚାଲାଣ କରାଯାଇଛି ।
ସୂଚନାଯୋଗ୍ୟ, ନୟାଗଡ଼, ଖୋର୍ଦ୍ଧା ଏବଂ ଢେଙ୍କାନାଳ ଜିଲ୍ଲାର ୪ ଟି ସ୍ଥାନରେ ଗତକାଲି ୪ଟି ଟିମ୍ ଏକକାଳୀନ ଭିଜିଲାନ୍ସ ଚଢ଼ାଉ କରାଯାଇଥିଲା । ୪ ଜଣ ଡିଏସପି, ୮ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଚଢ଼ାଉ ଚାଲିଥିଲା । ଗତକାଲି ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା, ଗୋଟିଏ ୪ ଚକିଆ ଗାଡ଼ି ଓ ଗୋଟିଏ ଦୁଇ ଚକିଆ ଗାଡ଼ି ଜବତ ହୋଇଥିଲା ।
