କନ୍ଧମାଳ : କନ୍ଧମାଳରେ ଅପରେସନ ନୀଳ ଜହର । ପୁଣି ଶହେ ବତିଶ ଏକର ସରକାରୀ ଜମିରୁ ଗଂଜେଇ କାଟିଲା ପୋଲିସ ଓ ଅବକାରୀ ବିଭାଗ । କ.ନୂଆଗାଁ ଥାନା ଅନ୍ତର୍ଗତ ସିର୍ତ୍ତିଗୁଡା ଗ୍ରାମ ପଞ୍ଚାୟତର କୁଶାକୁପୁଡ଼ା, କୁଡୁପାକିଆ ଓ ଗସୁକିଆ ଗାଁର ସରକାରୀ ଜମି ଓ ଜଙ୍ଗଲ ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଶହେଶତ ତିରିଶି ଏକର ଗଂଜେଇ ଚାଷକୁ କାଟି ପୋଡି ଦେଇଛି ପୋଲିସ ଓ ଅବକାରୀ ବିଭାଗ ।
ନୀଳଜହର ବା ଗଞ୍ଜେଇର ପେଣ୍ଠସ୍ଥଳି କୁହାଯାଉଥିବା କନ୍ଧମାଳର ବିଭିନ୍ନ ଥାନା ଅଞ୍ଚଳରେ ବେଧଡକ ଗଞ୍ଜେଇ ଚାଷ ହେଉଛି । ବାହାର ରାଜ୍ୟର ମାଫିଆ ଆଦିବାସୀଙ୍କୁ ହାତକରି ଜଙ୍ଗଲ ଓ ଉପାନ୍ତ ଅଞ୍ଚଳରେ ଚାଷ ଓ ବ୍ୟବସାୟର କାୟା ବିସ୍ତାର କରିଚାଲିଛନ୍ତି । ଏହାକୁ ରୋକିବାକୁ କ ନୂଆଗାଁ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଅପରେସନ ନୀଳଜହର ତୃତୀୟ ଦିନରେ ଏହି ସଫଳତା ପାଇଛି ।
ପୋଲିସ ଓ ଅବକାରୀ ବିଭାଗର କାର୍ଯାନୁଷ୍ଠାନ ଫଳରେ ଗଂଜେଇ ମାଫିଆ ଓ ଚାଷୀ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ନଷ୍ଟ କରାଯାଇ ଥିବା ଗଂଜେଇର ଆନୁମାନିକ ମୂଲ୍ୟ ଦଶ କୋଟି ଟଙ୍କାରୁ ଅଧିକ ବୋଲି ଥାନା ଅଧିକାରୀ ଶ୍ରୀନିବାସ ସାମଲ ସୂଚନା ଦେଇଛନ୍ତି ଏନେଇ କ ନୂଆଗାଁ ଥାନାରେ କେସ ନମ୍ବର ୯୫/୨୧ ଏନଡ଼ିପିଏସ ଆକ୍ଟରେ ବେନାମୀ ଚାଷୀନାମରେ ମାମଲା ରୁଜୁ ହୋଇଛି । ନୀଳଜହର ଅପରେସନ ରେ ଅତିରିକ୍ତ ତହସିଲଦାର ଏବଂ ତହସିଲ କର୍ମଚାରୀ ପୋଲିସ ଫୋର୍ସ ଅବକାରୀ କର୍ମଚାରୀ ଉପସ୍ଥିତ ଥିଲେ l
