ଚାଷୀର ସୁନାର ଫସଲ ଅମଳ ହେବା ସମୟରେ ଦାଉ ସାଧୁଛି ଜଙ୍ଗଲୀ ହାତୀ ପଲ

ବିନିକା : ଚାଷୀ ପାଇଁ କେତେବେଳେ ରୋଗ ପୋକ ଦାଉ ସାଧୁଛି ତ ଆଉ କେତେବେଳେ ଜଙ୍ଗଲୀ ହାତୀ ପଲ l ଏବେ ଚାଷୀର ସୁନାର ଫସଲ ଅମଳ ହୋଇ ଆସୁଥିବା ସମୟରେ ଜଙ୍ଗଲୀ ହାତୀ ପଲ ଆସି ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜର ସେଳେଡି, ତୁଲୁଣ୍ଡୁପାଲି ଅଞ୍ଚଳର ପୁଣୀ ହେକ୍ଟର ହେକ୍ଟର ଚାଷ ଜମିକୁ ଦଳି ଚକଟି ନଷ୍ଟ କରିଦେଇଛନ୍ତି  l ପ୍ରତ୍ୟେକ ବର୍ଷ ଧାନ ଅମଳ ହୋଇ ଆସୁଥିବା ସମୟରେ ଯେମିତି ଆସନ୍ତି ଏ ବର୍ଷ ମଧ୍ୟ ଉଲୁଣ୍ଡା ରେଞ୍ଜ ଅଞ୍ଚଳରୁ ବିଳମ୍ୱିତ ରାତ୍ରିରେ ମହାନଦୀ ପାର ହୋଇ ୫୦ ଟିକିଆ ହାତୀ ପଲ ଆସି ଚାଷୀଙ୍କ ନିଦ ହଜାଇ ଦେଇଛନ୍ତି l

ସାହୁକାର ପାଖରୁ ଧାର କରଜ ଆଣି ଚାଷ କରିଥିବା ଚାଷୀ କେମିତି ଋଣ ପରିଶୋଧ କରିବ, କେମିତି ପରିବାର ପ୍ରତିପୋଷଣ କରିବ ସେ ନେଇ ଏବେ ଚିନ୍ତାରେ । ଚାଷୀମାନେ ସରକାରଙ୍କୁ ତୁରନ୍ତ କ୍ଷୟ କ୍ଷତି ହୋଇଥିବା ଚାଷ ଜମି ଗୁଡିକ ଆକଳନ କରି କ୍ଷତିପୂରଣ ଦେବା ପାଇଁ ଦାବି ରଖୁଛନ୍ତି l ପ୍ରତ୍ୟେକ ବର୍ଷ ହାତୀ ଆସି ଚାଷୀର ସୁନାର ଫସଲକୁ ନଷ୍ଟ କରିଦିଅନ୍ତି । ଆଉ ଗ୍ରାମବାସୀମାନେ ମଧ୍ୟ ବନ ବିଭାଗକୁ ଆପତ୍ତି ଅଭିଯୋଗ କରିଆସୁଥିଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ l ହାତୀ ମହାନଦୀ ପାର ହୋଇ ଚାଷ ଜମି ଉପରକୁ ଆସି ନଷ୍ଟ କଲା ପରେ ଯାଇ ବନ ବିଭାଗ କର୍ମଚାରୀମାନେ ଆସୁଥିବାରୁ ହାତୀ ଘଉଡ଼ାଇବାରେ ବିଫଳ ହେବା ସହ ଚାଷ ଜମି ଗୁଡ଼ିକ ବ୍ୟାପକ ଭାବରେ କ୍ଷୟ କ୍ଷତି ହେଉଥିବାରୁ ବାଧ୍ୟ ହୋଇ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି l

Leave a Reply

Your email address will not be published. Required fields are marked *