ଚାଷ ଜମିରେ ମିଳିଲା ହାତୀର ମୃତ ଦେହ

ଆଠଗଡ଼ : ଆଠଗଡ଼ ବନାଞ୍ଚଳ ଅନ୍ତର୍ଗତ ରାଜନଗର ପଞ୍ଚାୟତ ଅଧିନ ବାଲିପଦାର ଚାଷଜମି ମଧ୍ୟରେ ଏକ ୧୦ ବର୍ଷର ମାଇ ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ହାତୀଟି ପ୍ରାୟ ୨/୩ ଦିନ ପୂର୍ବରୁ ମରିଥିବା ତାର ଦୁର୍ଗନ୍ଧରୁ ଜଣାପଡ଼ୁଛି । ବନାଞ୍ଚଳ କାର୍ଯ୍ୟାଳୟ ଠାରୁ ମାତ୍ର ୪ କି.ମି ଦୂର ଏବଂ ରାଜନଗର ବନବିଭାଗ ବିଟ ଠାରୁ ମାତ୍ର ୧ କି.ମି. ମଧ୍ୟରେ ହାତୀଟି ମରିପଡ଼ିଥିବା ବେଳେ ବନବିଭାଗ କିପରି ଜାଣିପାରିଲା ନାହିଁ ତାହା ସେମାନଙ୍କ କାର୍ଯ୍ୟଶୈଳୀକୁ ଇଙ୍ଗିତ କରୁଛି । ସ୍ଥାନୀୟ ଲୋକ ପାଚିଲା ଧାନକ୍ଷେତକୁ ମଙ୍ଗଳବାର ଅପରାହ୍ଣରେ ଧାନ କାଟିବାକୁ ଯାଇଥିବା ବେଳେ ହାତୀଟି ସେଠାରେ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ ଏବଂ ବନବିଭାଗକୁ ସୂଚନା ଦେଇଥିଲେ । ଖବର ପାଇ ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଧବ, ସହକାରୀ ବନସଂରକ୍ଷକ ହରେକୃଷ୍ଣ ମଲ୍ଲିକ, ଆଠଗଡ଼ ବନାଞ୍ଚଳ ଅଧିକାରୀ ରାଜେନ୍ଦ୍ର ପାଲ ସିଂମାଥୁର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଅନୁସନ୍ଧାନ କରିଥିଲେ । କପିଳାସ ଅଞ୍ଚଳରୁ ଏକ ହାତୀଦଳ ୨/୩ ଦିନ ପୂର୍ବରୁ ସେ ଅଞ୍ଚଳକୁ ପାଚିଲା ଧାନ ଖାଇବାକୁ ଆସିଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ତେବେ ହାତୀଟି କିଭଳି ମୃତ୍ୟୁବରଣ କଲା କେହି କହିପାରୁନାହାଁନ୍ତି । ଘଟଣାସ୍ଥଳ ବାଲିପଦା ଗ୍ରାମର ଧାନକ୍ଷେତରେ ପ୍ରାଣୀଚିକିତ୍ସକ ଡାକ୍ତର ଅନୁସୂୟା ଗିତିକା ପହଞ୍ଚିଥଲେ ମଧ୍ୟ ଅନ୍ଧାର ହୋଇଯିବାରୁ ମୃତ ହାତୀର ବ୍ୟବଛେଦ କରାଯାଇପାରିନାହିଁ । ବୁଧବାର ସକାଳୁ ହାତୀଟିର ବ୍ୟବଛେଦ ପରେ ସେହିଠାରେ ପୋତିଦିଆଯିବ ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ଯାଧବ ପ୍ରକାଶ କରିଛନ୍ତି । ବନବିଭାଗ କର୍ମଚାରୀ ମୃତ ହାତୀଟିକୁ ଜଗି ରହିଛନ୍ତି ।

Leave a Reply

Your email address will not be published. Required fields are marked *