ଓଡ଼ିଶାର ହଳଦୀ ଓ ତେନ୍ତୁଳି ଉପରେ ଏବେ ଆନ୍ଧ୍ରର ନଜର

କୋରାପୁଟ : ଓଡ଼ିଶାର ପଞ୍ଚାୟତ ନିର୍ବାଚନରେ ପ୍ରତିବନ୍ଧକ ସୃଷ୍ଟି କରିବାର ଯୋଜନା କରି ବିଫଳ ହୋଇଛି ଆନ୍ଧ୍ର । ହେଲେ ନିର୍ବାଚନ ସରିବାର ଦୁଇଦିନ ନସରୁଣୁ ପୁଣି କୋଟିଆ ପଞ୍ଚାୟତରେ ଅନଧିକାର ପ୍ରବେଶ କରିଛି । ଏବେ କିନ୍ତୁ କୋଟିଆ ଆଦିବାସୀଙ୍କ ତେନ୍ତୁଳି ଓ ହଳଦୀ ଉପରେ ନଜର ପକାଇଛି । ପୁରା ପଞ୍ଚାୟତରେ ମାଳମାଳ ଆନ୍ଧ୍ର ଅଧିକାରୀ ଘୁରି ବୁଲୁଛନ୍ତି । ମଙ୍ଗଳବାର ଦଳେ ଅଧିକାରୀ ଫାଟୁସିନେରି ଓ ନେରେଡିବାଲାସା ଗସ୍ତ କରିଥିବା ଦେଖିବାକୁ ମିଳିଛି । ଆଦିବାସୀଙ୍କ ଦ୍ବାରା ବଣ ଜଙ୍ଗଲରୁ ସଂଗୃହିତ ଓ ନିଜ ବାଡ଼ି ବଗିଚାରେ ଉତ୍ପାଦିତ ସମସ୍ତ ସାମଗ୍ରୀକୁ କିଣି ନେବା ପାଇଁ ଆନ୍ଧ୍ର ସରକାରଙ୍କ ଦ୍ଵାରା କୋଟିଆ ପଞ୍ଚାୟତର ଫାଟୁସିନେରି ଓ ନେରେଡିବାଲାସାରେ ଏକକ କ୍ରୟ କେନ୍ଦ୍ର ଖୋଲାଯାଇଛି । ଆଜି ଆନ୍ଧ୍ରପ୍ରଦେଶ ଆଇଟିଡିଏର ଅତିରିକ୍ତ ପ୍ରକଳ୍ପ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ ବିଭାଗୀୟ ଅଧିକାରୀଙ୍କ ଦଳ ଫାଟୁସିନେରି ଗସ୍ତ କରି ଆଦିବାସୀଙ୍କ ଠାରୁ ହଳଦୀ ଓ ତେନ୍ତୁଳି କିଣିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି । ଆଦିବାସୀମାନେ ଯେପରି ଏହି କେନ୍ଦ୍ରଗୁଡିକର ସଦୁପଯୋଗ କରି ନିଜ ଉତ୍ପାଦର ଉଚିତ୍ ମୂଲ୍ୟ ପାଇ ପାରିବେ ସେ ନେଇ ଏହି ସରକାରୀ ଦଳ ସଚେତନତା ସୃଷ୍ଟି କରିଥିଲେ ।

Leave a Reply

Your email address will not be published. Required fields are marked *