ପରୀକ୍ଷା ଦେଇ ପାସ୍ ହେଲେ ଯାଇ ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ଗ୍ରାମବାସୀ

ସୁନ୍ଦରଗଡ : ସରପଞ୍ଚ ଓ ସମିତିସଭ୍ୟ ହେବା ପାଇଁ ହେଲେ ଗାଁ କ୍ଲବରେ ପରୀକ୍ଷା ଦେଇ ପାସ୍ କରିବାକୁ ପଡ଼ିବ । ଲିଖିତ ପରୀକ୍ଷା ଦେଇ ପାସ୍ ହେଲେ ଯାଇ ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ଗ୍ରାମବାସୀ । ଏଭଳି ସର୍ତ୍ତ ରଖି ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ପରୀକ୍ଷା କରାଇଛି ଗାଁ କ୍ଲବ୍ । ସୁନ୍ଦରଗଡ଼ ହେମଗିରି ବ୍ଲକ୍ ମୁଣ୍ଡରକ୍ଷେତ ଗ୍ରାମରୁ ଆସିଛି ଏଭଳି ରୋଚକ ଦୃଶ୍ୟ ।

ସୂଚନାଯୋଗ୍ୟ ଯେ, ଏହି ପଞ୍ଚାୟତରେ ୫ ଜଣ ସରପଞ୍ଚ ଓ ୯ ଜଣ ସମିତିସଭ୍ୟ ପ୍ରାର୍ଥୀ ରହିଥିବା ବେଳେ, ଜଣେ ସରପଞ୍ଚ ପ୍ରାର୍ଥୀ ଓ ୫ ଜଣ ସମିତିସଭ୍ୟ ପ୍ରାର୍ଥୀଙ୍କ ଲିଖିତ ପରୀକ୍ଷା କରାଇଛି ମୁଣ୍ଡରକ୍ଷତ ଗାଁର ଓଁ ଶିବାୟ କ୍ଲବ । ସମିତି ସଭ୍ୟର କାର୍ଯ୍ୟ କଣ, ଆଗାମୀ ୫ ବର୍ଷର ଲକ୍ଷ୍ୟ କଣ,  ପ୍ରାର୍ଥୀ ହେବାର କାରଣ, ଆଦର୍ଶ ପଂଚାୟତର ରୂପରେଖ କଣ, ଗତ ସରପଞ୍ଚ ଓ ସମିତିସଭ୍ୟଙ୍କ କାର୍ଯ୍ୟକଳାପ ବିଷୟରେ, ପଂଚାୟତରେ ଲୋକେ ସରକାରୀ ଯୋଜନାର ଲାଭ ପାଇଛନ୍ତି କି ଯଦି ହଁ ତେବେ ସେଥିମଧ୍ୟରୁ ୧୦ଟି ଯୋଜନା ଉଲ୍ଲେଖ  କରିବା ଭଳି ୬ଟି ପ୍ରଶ୍ନର ଉତ୍ତର ଲିଖିତ ଭାବେ ଦେବାକୁ ପଡିଛି ସମସ୍ତ ପ୍ରାର୍ଥୀଙ୍କୁ । ପରୀକ୍ଷାର ଉତ୍ତର ଗାଁ ଲୋକଙ୍କ ଆଗରେ ପଢ଼ାଯାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ କୁତ୍ରା ବ୍ଲକ୍ ମାଲୁପଡା ଗାଁରେ ସରପଞ୍ଚ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା କରାଇବା ପରେ ହେମଗିରି ମୁଣ୍ଡରକ୍ଷତ ଗାଁରୁ ସମାନ ଦୃଶ୍ୟ ଆସିବା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *