ସୁନ୍ଦରଗଡ଼ ଜିଲ୍ଲା ଏବେ ପାଲଟିଛି ବେଆଇନ ଗୋଚାଲାଣ ବେପାରୀଙ୍କ ପେଣ୍ଠସ୍ଥଳୀ, ତଥାପି ପୁଲିସ ନୀରବ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ଏବେ ପାଲଟିଛି ବେଆଇନ ଗୋଚାଲାଣ ବେପାରୀଙ୍କ ପେଣ୍ଠସ୍ଥଳୀ । ବେପାରକୁ କେନ୍ଦ୍ରକରି ଗୁଳି ଫୁଟୁଛି । ବନ୍ଧୁକ ମୁନରେ ଅପହରଣ କରାଯାଉଛି । ଗତ ସପ୍ତାହକ ମଧ୍ୟରେ ବଣାଇଁ ଗମ୍‌ଲେଇ ହାଟରେ ଗୁଳିକାଣ୍ଡ ଓ ନୂଆଗାଁ ସୋରଡାରୁ ବେପାରୀଙ୍କୁ ଅପହରଣ ଏହାର ଜ୍ବଳନ୍ତ ପ୍ରମାଣ । ଏହି ଦୁଇଟି ଘଟଣାରୁ ଜିଲ୍ଲାରେ କେମିତି ବେଧଡ଼କ ଗୋରୁ ଚାଲାଣ ହେଉଛି ବାରି ହୋଇପଡୁଛି । ଯାହାର ଚେର ଲମ୍ବିଛି ସୁନ୍ଦରଗଡ଼ରୁ ବାଂଲାଦେଶ ପର୍ଯ୍ୟନ୍ତ । ପ୍ରଥମେ ସୁନ୍ଦରଗଡ଼ରୁ ଝାଡ଼ଖଣ୍ଡ। ପରେ ଝାଡ଼ଖଣ୍ଡରୁ କୋଲକାତାର ମୁର୍ସିଦାବାଦ ।

ସେଠାରୁ ସିଧାସଳଖ ବାଂଲାଦେଶରେ ପହଞ୍ଚୁଛି । ଏମାନଙ୍କୁ ସହାୟତା କରୁଛନ୍ତି କିଛି ଗୁଣ୍ଡା  ଓ ଗୋରୁ ମାଫିଆ । ଯେଉଁମାନେ ସ୍ଥାନୀୟ ପୁଲିସକୁ ଖୋଲା ଚାଲେଞ୍ଜ ରାତି ରାତି ଝାଡଖଣ୍ଡକୁ ଟ୍ରକ ଟ୍ରକ୍‌ ଗୋରୁ ଚାଲାଣ କରୁଛନ୍ତି । କିଛି ଗୋରୁ ବୋଝେଇ ଟ୍ରକକୁ ପୁଲିସ ଜବତ କରିଛି । ଅନେକ ବେପାରୀ ଓ ମାଫିଆକୁ ଗିରଫ କରି ଜେଲ ପଠାଇଛି । ମାତ୍ର ସେମିତି ଆଖି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ‌ଗୋରୁ ମାଫିଆଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁନାହିଁ । ମାସେ କି ଦୁଇ ମାସ ନୁହେଁ ବର୍ଷ ବର୍ଷ ଧରି ଏପରି ବେଆଇନ କାରବାର ଚାଲିଛି । ରୋକିପାରୁନି ସ୍ଥାନୀୟ ପୁଲିସ ଓ ପ୍ରଶାସନ । ଫଳରେ ଦିନକୁ ଦିନ ଜିଲ୍ଲାରେ ଗୋରୁ ଚାଲାଣ କାରବାର ବଢ଼ି ଚାଲିଛି । ଗତ ଦୁଇ ଦିନତଳେ ନୂଆଗାଁ ସୋରଡା ହାଟରୁ  ପଶ୍ଚିମବଙ୍ଗ ବୀରଭୂମି ଇଲମ୍‌ର ମହମ୍ମଦ ଜହୀର (୨୫)କୁ ବନ୍ଧୁକ ଦେଖାଇ ଅପହରଣ କରି ନିଆଯାଇଥିଲା । କୁତ୍ରା ବ୍ଲକ ଅନ୍ତର୍ଗତ ଖତକୁରବାହାଲର ୬ ଯୁବକ ଜବରଦରସ୍ତ କାର୍‌ରେ ଉଠାଇ ନେଇ ଫେରାର ହୋଇଯାଇଥିଲେ ।

ଆଜି ପର୍ଯ୍ୟନ୍ତ ଅପହରଣକାରୀଙ୍କ କବ୍‌ଳରୁ ଗୋରୁ ବେପାରୀକୁ ଉଦ୍ଧାର କରାଯାଇ ପାରିନି । ସେମିତି ଲହୁଣିପଡା ଗମଲେଇ ସାପ୍ତାହିକୀ ହାଟ ନିକଟସ୍ଥ ଗୋରୁହାଟରେ ଡକାୟତି ଘଟଣାରେ ଲହୁଣିପଡା ପୁଲିସ ୩ ଜଣଙ୍କୁ ଗିରଫ କରିଥିଲା ।  ସେମାନଙ୍କ ମଧ୍ୟରେ ଥିଲେ ବିଶ୍ରା ଗୁଡଗୁଡଜୋରର ମୋଜାମିଲ୍‌ଅନ୍‌ସାରୀ (୨୭), ମହମ୍ମଦ ଅନ୍‌ସାରୀ (୨୬),  ବ୍ଲକ ରୋଡର ସାହିଲ ଖାନ୍ ଓରଫ ସାନୁ (୨୫) । ଏମାନଙ୍କ ନିକଟରୁ ପିସ୍ତଲ, ୬ଟି ଅଫୁଟା ଗୁଳି, ଖୋକା, ନଗଦ ଟଙ୍କା, ସ୍କୋର୍ପି କାର୍‌(ଓଆର୍‌୨୩ଡି-୯୬୩୬) ଜବତ ହୋଇଥିଲା । ଗିରଫ ଡକାୟତିଙ୍କ ନାଁରେ ଏକାଧିକ ଡକାୟତି, ଚ‌ୋରି ଓ ଅନ୍ୟାନ୍ୟ ଅପରାଧିକ ମାମଲା ରହିଛି । ଗିରଫ ଅଭିଯୁକ୍ତମାନେ ଗୋରୁ ବ୍ୟବସାୟ କରୁଥିଲେ । ବେପାରରେ ନିଜର ଦବ୍‌ଦବା ଜାହିର କରିବାକୁ ବର୍ତ୍ତମାନ ସ୍ଥାନୀୟ ‌ବେପାରୀ ଓ ପଶ୍ଚିମବଙ୍ଗର କିଛି ବେପାରୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଜିଲ୍ଲାରେ ଚାଲୁଥିବା ଗୋରୁ ହାଟରୁ କାହାକୁ ବେଶି ଫାଇଦା ମିଳିବ, ସେନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଛି ପ୍ରତିଯୋଗିତା ।

ଫଳରେ ଅପରାଧୀ କାର୍ଯ୍ୟକଳାପ ବଢ଼ୁଛି । ଜିଲ୍ଲାର ବଣାଇର ଗମ୍‌ଲେଇ ଓ କୁତ୍ରା ବ୍ଳକର ଖତକୁରବାହାଲ ଦୁଇଟି ପ୍ରମୁଖ ଗୋରୁ ହାଟ । ଏଠାରୁ ଶହ ଶହ ଗୋରୁ କିଣାଯାଇ ବେପାରୀମାନେ ପିକ୍‌ ଅପ୍‌, ୪୦୭, ଟାଟା ଏସି ଆଦି ଗାଡିରେ ଝାଡ଼ଖଣ୍ଡ ଚାଲାଣ କରୁଛନ୍ତି । ଆଉ କିଛି ବେପାରୀ ଗୋରୁମାନଙ୍କୁ ଚଲାଇ ଚଲାଇ ମଧ୍ୟ ନେଉଛନ୍ତି । ଅଧିକାଂଶ ଗୋରୁ ଚାଲାଣ ଗାଡି ରାଉରକେଲାର ବିର୍ସା ଛକ, ବନ୍ଧମୁଣ୍ଡା ରାସ୍ତା ବିଶ୍ରାରେ ପହଞ୍ଚୁଛି। ସେଠାରୁ ଜରେଇକେଲା, ମନୋହରପୁ ଦେଇ ସିଧାସଳଖ ଝାଡ଼ଖଣ୍ଡରେ ପହଞ୍ଚୁଛି । ସେଠାରୁ ବଡ ବଡ କଣ୍ଟେନରରେ ଗୋରୁ ବୋଝେଇ ହୋଇ ପଶ୍ଚିମବଙ୍ଗର ମୁର୍ସିଦାବାଦକୁ ଯାଉଛି । ସେଠାରୁ ସିଧାସଳଖ ଜଳପଥରେ ଗୋରୁ ବାଂଲାଦେଶରେ ପହଞ୍ଚିଯାଉଥିବା ଜଣାପଡିଛି । ଗୋରୁ ଚାଲାଣକୁ ରୋକା ନଗଲେ ଆଗାମୀ ଦିନରେ ଜିଲ୍ଲାରେ ପଶ୍ଚିମବଙ୍ଗ ଓ ସ୍ଥାନୀୟ ବେପାରୀଙ୍କ ମଧ୍ୟରେ ବଡଧରଣ ହିଂସାକାଣ୍ଡକୁ ମଧ୍ୟ ଏଡାଇ ଦିଆ ନଯାଇପାରେ । ଏଥିପ୍ରତି ଜିଲ୍ଲାପ୍ରଶାସନ, ଉଭୟ ସୁନ୍ଦରଗଡ ଓ ରାଉରକେଲା ଜିଲ୍ଳା ପୁଲିସ ପ୍ରାଥମିକ ଦେବାର ଆବଶ୍ୟକତା ରହିଛି ।

Leave a Reply

Your email address will not be published. Required fields are marked *