ମହିଳାଙ୍କୁ ଭୁଜାଲିରେ ଆକ୍ରମଣ କରି ଲୁଟ୍‌

ବାସୁଦେବପୁର : ଶନିବାର ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ନାୟକାଣିଡ଼ିହି ଥାନାସ୍ଥିତ ଗୋକୁଳପୁର ଗ୍ରାମରେ ଏକ ବଡ଼ଧରଣର ଡକାୟତି ହୋଇଛି । ପରିବାର ଲୋକେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି ମହିଳାଙ୍କୁ ଭୁଜାଲିରେ ହାଣିବା ସହ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟି ନେଇଛନ୍ତି ।

ଗୋକୁଳପୁର ଗ୍ରାମର ନିତ୍ୟାନନ୍ଦ ବାରିକଙ୍କ ପରିବାର ଲୋକେ ଶୋଇଥିବା ବେଳେ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଲୁହାଗ୍ରିଲ କାଟି ଘର ଭିତରକୁ ପଶିଥିଲେ । ନିତ୍ୟାନନ୍ଦଙ୍କ ଶୋଇବା ଘରର ବାହାର ପଟୁ ତାଲା ପକାଇବା ସହ ଅନ୍ୟ ଏକ ଘରେ ବିବାହିତା ଭଉଣୀ ରେବତୀ ଶୋଇଥିବା ବେଳେ କୌଶଳକ୍ରମେ ଭିତରକୁ ପ୍ରବେଶ କରିଥିଲେ ଦୁର୍ବୃତ୍ତ । ଘରେ ଆଲମିରା ଓ ସୁଟକେସ ବାହାର କରିବା ବେଳେ ରେବତୀ ଉଠି ପଡ଼ିଥିଲେ । ଘର ଭିତରେ ଦୁର୍ବୃତ୍ତଙ୍କୁ ଦେଖି ଚିତ୍କାର କରିଥିବା ବେଳେ ସେମାନେ ଭୁଜାଲି ଦେଖାଇ ତାଙ୍କୁ ଭୟଭୀତ କରିଥିଲେ ।

ତେବେ ମନରେ ସାହସ ଜୁଟାଇ ରେବତୀ ବଡ଼ପାଟିରେ ଡାକ ପକାଇବା ବେଳେ ଲୁଟେରାମାନେ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ଆଉ ଘଟଣା ସ୍ଥଳରୁ ସମସ୍ତ ସୁନାଅଳଙ୍କାର ଓ ନଗଦ ଟଙ୍କା ନେଇ ଚମ୍ପଟ ମାରିଥିଲେ । ଘରବାଡ଼ିରେ ଟଙ୍କା ଓ ସୁନାଗହଣା ଥିବା ବ୍ୟାଗ ଏବଂ ସୁଟକେସ ଫିଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ନଗଦ ଅଢ଼େଇ ଲକ୍ଷ ଟଙ୍କା ସହ ୨ ଲକ୍ଷ ଟଙ୍କାର ସୁନାଅଳଙ୍କାର ଲୁଟି ନେବା‌ରେ ସକ୍ଷମ ହୋଇଥିଲେ ଦୁର୍ବୃତ୍ତ । ନିତ୍ୟାନନ୍ଦ ବାହାରକୁ ବାହାରି ରେବତୀଙ୍କୁ ଡାକ୍ତରଖାନା ନେବା ସହ ସ୍ଥାନୀୟ ପୁଲିସକୁ ସୂଚନା ଦେଇଥିଲେ ।

ଖବର ପାଇ ସ୍ଥାନୀୟ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରି ଫେରି ଆସିଥିବା ବେଳେ ଲୁଟେରାଙ୍କ କୌଣସି ସୁରାକ ପାଇ ପାରିନଥିବା ଜଣାପଡ଼ିଛି । ବାଲେଶ୍ବରରୁ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରି ଫେରିଛି ।

Leave a Reply

Your email address will not be published. Required fields are marked *