ଅଙ୍ଗନବାଡି କେନ୍ଦ୍ର ଥାଇ ବି ପିଲାମାନେ ସ୍କୁଲ ବାରଣ୍ଡାରେ ବସି ପାଠ ପଢୁଛନ୍ତି

ବେଗୁନିଆ : ବେଗୁନିଆ ବ୍ଲକ ଶିଶୁବିକାଶ ପ୍ରକଳ୍ପର ବିଭିନ୍ନ ସେକ୍ଟରରେ ଥିବା ବହୁ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନଥିବା ଯୋଗୁଁ କୋମଳମତି ଶିଶୁମାନେ ବିଦ୍ୟାଳୟ ବାରଣ୍ଡାରେ ବସି ପାଠ ପଢିବା ସହିତ ସେହି ବାରଣ୍ଡାରେ ପିଲାମାନେ ବସି ଖାଉଛନ୍ତି । ଏପରିକି ଏହି ଶିଶୁମାନଙ୍କ ପାଇଁ ସରକାର ପ୍ରଣୟନ କରୁଥିବା ବିଭିନ୍ନ ତାଲିମ କାର୍ୟ୍ୟକ୍ରମ ଠାରୁ ଆରମ୍ଭ କରି ସଭା ସମିତି ମଧ୍ୟ ସେହି ବାରଣ୍ଡାରେ ଅନୁଷ୍ଠିତ ହେଉଛି । ଫଳରେ ଏହାର କୁପ୍ରଭାଵ କୋମଳମତି ଶିଶୁମାନଙ୍କ ଉପରେ ପଡୁଛି । ଏମିତିବି ଅନେକ ଅଙ୍ଗନବାଡି କେନ୍ଦ୍ରର ନୂତନ ଗୃହ ନିର୍ମାଣ କରାଯାଇ ବର୍ଷ ବର୍ଷ ଧରି ପ୍ରଶାସନିକ ଅବହେଳା ଯୋଗୁଁ ସେଗୁଡିକ ବ୍ୟବହାର ନହୋଇ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡିରହିଛି ବୋଲି ଅଭିଯୋଗ ହୋଇଛି । ଦେଉଳି ପଞ୍ଚାୟତ ଅନ୍ତର୍ଗତ ସାମନ୍ତରାପୁର ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଡଙ୍ଗରପଡ଼ା ,ସାମନ୍ତରାପୁର ପରିସର ମଧ୍ୟରେ କାର୍ୟ୍ୟକରୁଥିବା ସାମନ୍ତରାପୁର ଅଙ୍ଗନବାଡି କେନ୍ଦ୍ର ପାଇଁ ଦୀର୍ଘ ୫ ବର୍ଷ ତଳେ ଅଙ୍ଗନବାଡି ଗୃହ ନିର୍ମାଣ କରିବା ପାଇଁ ୫ ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା । ଗୃହଟି ନିମଟାଲ ପତନ କରାଯାଇ ଦୀର୍ଘ ବର୍ଷ ପଡିବା ପରେ ସେଠାରେ ଗଛଲଟା ମାଡି ଜଙ୍ଗଲ ସୃଷ୍ଟି ହୋଇଥିଲା । ପରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଗୃହଟିର ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇ ଗତ ୬ ମାସ ତଳେ ଶେଷ ହୋଇଛି । ଉକ୍ତ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ପାଇଖାନା ଏବଂ ପାଣି ଟାଙ୍କି  ନିର୍ମାଣ କରାଯାଇନାହିଁ । ପାଣି ଟାଙ୍କି ନିର୍ମାଣ ହୋଇନଥିବା ବେଳେ ବିଦ୍ୟୁତ ସଂଯୋଗ ମଧ୍ୟ ହୋଇନାହିଁ । ଘରଟି ସମ୍ପୂର୍ଣ କାର୍ଯ୍ୟ କରି ହସ୍ତାନ୍ତର କରାଯାଉ ନାହିଁ । ଫଳରେ କୋମଳମତି ଶିଶୁମାନେ ସରକାର ଯୋଗାଇ ଦେଉଥିବା ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ବାରଣ୍ଡାରେ ସମସ୍ତ କାର୍ଯ୍ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *