ଗାଁକୁ ଠିକ୍ ରାସ୍ତା ନଥିବାରୁ ଆସି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

କରଞ୍ଜିଆ :  ରାଜ୍ୟରେ ଥମୁନି ଜନନୀ ଯନ୍ତ୍ରଣା । ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ । ଗାଁକୁ ରାସ୍ତା ନଥିବାରୁ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା  ଠାକୁରମୁଣ୍ଡା ବ୍ଲକ ଠାରୁ ମାତ୍ର ୫ କିମି ଦୂର ଦିରିବ ଗାଁରେ । ଦିରିବ ଗାଁ ହୋ ସାହିର  କୁଅଁର ହୋ ଙ୍କ ସ୍ତ୍ରୀ ବୁଧବାର ବିଳମ୍ବିତ ରାତିରେ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକେ ତୁରନ୍ତ ଆମ୍ବୁଲାନ୍ସକୁ ଡକାଇଥିଲେ । ମାତ୍ର ଠିକ୍ ରାସ୍ତା ନଥିବାରୁ ଗର୍ଭବତୀଙ୍କୁ ପ୍ରାୟ ୩ କିମି ଖଟିଆରେ ନିକଟସ୍ଥ ସ୍କୁଲ ପର୍ଯ୍ୟନ୍ତ ସମ୍ପର୍କୀୟ ବୋହି ଆଣିଥିଲେ l ସ୍କୁଲ ପାଖରେ ପହଞ୍ଚିବା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରରେ ଗୁରୁବାର ସକାଳୁ ସକାଳୁ ଭର୍ତ୍ତି କରାଯାଇଥିଲା l ମେଡିକାଲରେ ପହଞ୍ଚିବା ପରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଏବେ ମାଆ ଓ ଝିଅ ଉଭୟ ସୁସ୍ଥ ଥିବା ଜଣାପଡିଛି l ତେବେ ଗାଁକୁ ଠିକ୍ ରାସ୍ତା ନଥିବାରୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡୁଛି ବୋଲି ଗ୍ରାମବାସୀମାନେ  ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *