ଚାଷୀଙ୍କ ଚିନ୍ତା ବଢ଼ାଉଛି ବାତ୍ୟା

ଗୋପାଳପୁର : ବର୍ଷା ହେଉ କି ବାତ୍ୟା ସଦା ସର୍ବଦା ଚାଷୀ ଚିନ୍ତାରେ । ଏବେ ଆଗାମୀ ଦିନରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ଜୱାଦ ବାତ୍ୟା ଆଶଙ୍କାରେ ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳର ଚାଷୀମାନଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି । ଧାନକଟା ହେବାପରେ କେଉଁଠି ସୁରକ୍ଷିତ ରଖିବେ ଏନେଇ ବ୍ୟସ୍ତ ରହିଛନ୍ତି ଚାଷୀକୁଳ। ଏବେ ଏହି ଅଞ୍ଚଳରେ ପ୍ରାୟ ୯୦ ପ୍ରତିଶତ ଧାନପାଚି ଗଲାଣି । ତରବରିଆ ଭାବେ ଧାନ ବିଲରେ ଅମଳ କରି ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ଚାଷୀ ବ୍ୟଗ୍ର ରହିଥିବା ଏବେ ଦେଖିବାକୁ ମିଳିଛି । ଗତ ଅଦିନିଆ ଲଘୁଚାପ ବର୍ଷା ଯୋଗୁଁ ରଂଗେଇଲୁଣ୍ଡା ବ୍ଳକର ବିଭିନ୍ନ ଗ୍ରାମରେ ଧାନ ଫସଲ ବିଲରେ ପାଣି ଜମି ଅଧାପାଚିଲା ଧାନ ନଷ୍ଟ ହୋଇଥିବା ହେତୁ ଚାଷୀ ହତାଶ ହୋଇଛନ୍ତି । ଗତଥରର ତିନିଦିନିଆ ଲଘୁଚାପ ଜନିତ ଅଦିନିଆ ବର୍ଷା ହେବା ଫଳରେ ଅଧାପାଚିଲା ଧାନ ଜମି ପାଣିରେ ବୁଡିଯିବା ସହ ଧାନ ପୁଡାରେ ପାଣି ବହୁ ସମୟ ଧରି ରହିବା ହେତୁ ନଷ୍ଟ ହୋଇଯାଇଥିଲା । ବର୍ତମାନ ଆଗକୁ ବାତ୍ୟା ଆସିବା ଶୁଣି ଚାଷୀଙ୍କ ମଧ୍ୟରେ ଭାଳେଣୀ ପଡିଥିବା ଦେଖିବାକୁ ମିଳିଛି । ଗତଥରର ଅଦିନିଆ ବର୍ଷା ଯୋଗୁଁ ଏହି ବ୍ଲକ ଅନ୍ତର୍ଗତ କୋଳଥିଗାଁର ବଡ଼ବନ୍ଧ ତଳ ଅଞ୍ଚଳ ସମେତ କୀର୍ତ୍ତିପୁର, ଦାସପୂର, ଇନ୍ଦ୍ରlଖୀ, ତୁଳୁ, ମେଣ୍ଡରାଜପୁର, ମନ୍ତ୍ରିଡି, ବାୟାଳି, ବିଶ୍ଵନାଥ ପୁର ପ୍ରଭୃତି ଉପକୂଳ ଅଞ୍ଚଳର ଶହ ଶହ ହେକ୍ଟର ଜମି ଜଳମଗ୍ନ ହୋଇ ନଷ୍ଟ ହୋଇଥିଲା । ଚଳିତ ବର୍ଷ ଚାଷୀମାନେ ଡେରିରେ ରୁଆ କାମ ହେତୁ ଧାନ ବର୍ତମାନ ଦର ପାଚିଲା ଅବସ୍ଥାରେ ରହିଛି । ବର୍ତମାନ ସୁଧା ଅଧିକାଂଶ ଜମିରେ ଧାନଗଛ ଗୁଡ଼ିକ ପାଣିରେ ପଡ଼ିରହିଛି । ବାତ୍ୟାକୁ ନଜରରେ ରଖି ଚାଷୀମାନେ ଧାନ କାଟି ଆଣି ସୁରକ୍ଷିତ ସ୍ଥାନରେ ରଖୁଥିବା ଦେଖାଦେଇଛି । କିଛି ସ୍ଥାନରେ ଚାଷୀମାନେ ପାଗ ସଫା ଦେଖି ଜମିରେ ଧାନ କାଟି ପାଚିଲା ଧାନକୁ ବିଲ ମଧ୍ୟରେ ହିଁ ରଖିଛନ୍ତି । କିଛି ଦିନ ପରେ ଧାନ ଅମଳ ହୋଇଥାଆନ୍ତା, ଅଚାନକ ଅଦିନିଆ ବର୍ଷା ଆଶଙ୍କାଙ୍କୁ ନେଇ ଚାଷୀ ଉପାୟ ଶୂନ୍ୟ ଓ ହତାଶ ରହିଥିବା ଜଣାପଡିଛି । ବର୍ତ୍ତମାନ ବାତ୍ୟା ଓ ପ୍ରବଳ ବର୍ଷା ଆଶଙ୍କା ଯୋଗୁଁ ଧାନ ଅମଳ କରି ପାରିବେ କି ନାହିଁ ବୋଲି ଅନେକ ଚାଷୀ ଆଶଙ୍କା ଓ ସନ୍ଦେହରେ ରହିଥିବା ଚାଷୀମାନେ ମତପୋଷଣ କରିଛନ୍ତି । ଏହା ସହ ତୁରନ୍ତ ଧାନ‌ଅମଳ ପାଇଁ ଅଞ୍ଚଳରେ ମୂଲିଆ ମଧ୍ୟ ଯୋଗାଡ ହୋଇପାରୁନଥିବା ଅଭିଯୋଗ ହୋଇଛି । ଆସନ୍ନ ବାତ୍ୟା ପ୍ରଭାବରେ ଚାଷୀକୁଳ ସଂପୂର୍ଣ୍ଣ ତଳିତଳାନ୍ତ ହୋଇଯିବା ଆଶଙ୍କା ରହିଥିବାରୁ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ବିକଳ୍ପ ପନ୍ଥା ଅବଲମ୍ବନ କରିବା ପାଇଁ ସରକାରଙ୍କୁ ୫୩ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ବିନୋଦଚନ୍ଦ୍ର ମିଶ୍ର, କିଷାନ ମୋର୍ଚ୍ଚା ରାଜ୍ୟସମ୍ପାଦକ ରାଜେଶ ସାହୁ, ବରିଷ୍ଠ ଚାଷୀ ଗୋକୁଳକର, ଦେବରାଜ ମହାନ୍ତି, ରମାକାନ୍ତ ପ୍ରଧାନ, ହାଡୁ ଦଳ ବେହେରା, କାଳୁଚରଣ କୋଠୀଆ, ନୀଳାମ୍ବର ମହାନ୍ତି, ସୁଶାନ୍ତ ନାୟକ, ଯୁଧିଷ୍ଠିର ନାୟକ, ସମାଜ ସେବୀ ଜଗମୋହନ ପାତ୍ର ପ୍ରମୁଖ ଦାବୀ କରିବା ସହ ବାତ୍ୟାପରେ କ୍ଷୟକ୍ଷତି ଆକଳନ କରି କ୍ଷତି ଜନୀତ ଭରଣାରେ ଚାଷୀଙ୍କୁ ସହାୟ ହେବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *