ଭାରତ-ଜାପାନ ମଧ୍ୟରେ ସାମରିକ ସହଯୋଗ ଚୁକ୍ତି

ଭାରତ–ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନର ବିସ୍ତାରବାଦ ନୀତି ଓ ଭାରତ ସହିତ ସୀମା ବିବାଦକୁ ଦୃଷ୍ଟି​ରେ ରଖି ଭାରତ ଓ ଜାପାନ ମଧ୍ୟରେ ସାମରିକ ସହଯୋଗ ଚୁକ୍ତି ସ୍ବାକ୍ଷର ହୋଇଛି। ଭାରତର ପ୍ରତିରକ୍ଷା ସଚିବ ଅଜୟ କୁମାର ଓ ନୂଆଦିଲ୍ଲୀରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ ସୁଜୁକି ସାତୋଷୀଙ୍କ ମଧ୍ୟରେ ଗୁରୁବାର ଏହି ଚୁକ୍ତି ସ୍ବାକ୍ଷର ହୋଇଛି। ସ୍ବାକ୍ଷରିତ ଚୁକ୍ତି (ମ୍ୟୁଚୁଆଲ ଲଜିଷ୍ଟିକ୍ ସପୋର୍ଟ ଆରେଞ୍ଜମେଣ୍ଟ) ଅନୁଯାୟୀ ଦୁଇଦେଶ ପରସ୍ପରକୁ ସାମରିକ ସହଯୋଗ ଦେବେ। ଏହାଦ୍ବାରା ଦୁଇଦେଶର ପରସ୍ପରର ସାମରିକ ଭିତ୍ତିଭୂମିକୁ ବ୍ୟବହାର କରିପାରିବେ। ଏହା ପୂର୍ବରୁ ଆମେରିକା, ଫ୍ରାନ୍ସ, ଦକ୍ଷିଣ କୋରିଆ, ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ସହିତ ଭାରତ ଅନୁରୂପ ଚୁକ୍ତି ସ୍ବାକ୍ଷର କରିଛି। ଏହି ଚୁକ୍ତି ସ୍ବାକ୍ଷର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଜାପାନ ପ୍ରତିପକ୍ଷ ସିଞ୍ଜୋ ଆବେଙ୍କୁ ଫୋନ କରି କୃତଜ୍ଞତା ଜଣାଇଛନ୍ତି। ଭାରତ–ଜାପାନ ମଧ୍ୟରେ ସମ୍ପର୍କକୁ ଦୃଢ଼ କରିବାରେ ଆବେଙ୍କ ଭୂମିକାକୁ ମୋଦୀ ପ୍ରଶଂସା କରିଛନ୍ତି। ସ୍ବାସ୍ଥ୍ୟଗତ କାରଣରୁ ଆବେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସମ୍ପର୍କରେ ଗତମାସରେ ଘୋଷଣା କରିଥିଲେ। ତେବେ ନୂଆ ପ୍ରଧାନମନ୍ତ୍ରୀ ମନୋନୟନ ପର୍ଯ୍ୟନ୍ତ ଆବେ ତାଙ୍କ ପଦ ବଜାୟ ରଖିଛନ୍ତି।

Leave a Reply

Your email address will not be published. Required fields are marked *