ଭୁବନେଶ୍ବର : (ସତିସ ମିଶ୍ର) କିଛି ଦିନ ତଳେ ଆମେରିକାରେ ହାଓଡ଼ି ସାରି ପ୍ରଧାନ ମନ୍ତ୍ରୀ ମୋଦି ମିଳିତ ଜାତିସଂଘରେ ଭାରତର ଉପଲବ୍ଧି ବିଷୟରେ ବିଶ୍ୱକୁ କହି ଥିଲେ”ଆମେ ଗଲା ପାଞ୍ଚ ବର୍ଷରେ ୧୧ କୋଟି ପାଇଖାନା କରିଛୁ” ସେହି ହିସାବରେ ଦେଖିଲେ ମିନିଟକେ ୪୧୮ ପାଇଖାନା,ଅତଏବ ପାଇଖାନା ଏବେ ସରକାରଙ୍କର ଏକମାତ୍ର ଦୀର୍ଘସୁତ୍ରୀ ବିପ୍ଳବ।
କ୍ଷୁଧା ଓ ଅପପୁଷ୍ଟି ସମସ୍ୟା ଅତି ଗମ୍ଭୀର। , ଭାରତ ୨୦୧୪ ତୁଳନାରେ ୨୦୧୯ରେ ନୈରାଶ୍ୟଜନକ ସ୍ଥିତିରେ ପହଞ୍ଚିଛି। ୨୦୧୪ରେ ଭାରତ ଜିଏଚ୍ଆଇ (ବିଶ୍ବ କ୍ଷୁଧା ସୂଚୀ)ରେ ୫୫ତମ ସ୍ଥାନରେ ଥିବାବେଳେ ୨୦୧୯ରେ ଏହା ୧୦୨ତମ ସ୍ଥାନରେ ପହଞ୍ଚିଛି। ସୂଚନାଯୋଗ୍ୟ, ପ୍ରତିବର୍ଷ ଆୟର୍ଲାଣ୍ଡ୍ କନ୍ସର୍ନ ୱାର୍ଲ୍ଡୱାଇଡ ଏବଂ ଜର୍ମାନୀର ୱେଲ୍ଥୁଙ୍ଗ ରିଲିଫ୍ ପକ୍ଷରୁ ଏହି ସୂଚୀ ପ୍ରସ୍ତୁତ କରାଯାଇଥାଏ।
ସେହିଭଳି ଭାରତର ଶିଶୁ ଅପପୁଷ୍ଟି ହାର ମଧ୍ୟ ଉଦ୍ବେଗଜନକ। ଶିଶୁ ଅପପୁଷ୍ଟି ହାରରେ ଭାରତ ବିଶ୍ବରେ ଏକ ନମ୍ବର ଦେଶ ଏବଂ ଏହି ହାର ୨୦.୮ ପ୍ରତିଶତ, ଯାହାକି ବିଶ୍ବରେ ସର୍ବାଧିକ ବୋଲି ଏଥିରେ ଉଲ୍ଲେଖ ରହିଛି। ମୁଖ୍ୟତଃ ୪ଟି ମାନକକୁ ନେଇ ଏହି ସୂଚୀ ପ୍ରସ୍ତୁତ କରାଯାଇଛି। ଅଖାଦ୍ୟ, ଅପପୁଷ୍ଟି, ବୟସ ତୁଳନାରେ ଶାରୀରିକ ବିକାଶ ନ ହେବା ଏବଂ ଶିଶୁ ମୃତ୍ୟୁ ହାର ଭଳି ମାନକକୁ ବିଚାରକୁ ନିଆଯାଇ ଏହା ପ୍ରସ୍ତୁତ ହୋଇଛି।
ଯଦି ଜନସଂଖ୍ୟା ବୃଦ୍ଧିକୁ କେହି ଏହାର କାରଣ ବୋଲି କୁହନ୍ତି
ତେବେ ସେମାନଙ୍କୁ ଚୀନ ଦେଶର ଉଦାହରଣ ନେବାକୁ ହେବ।
ଆମ ରାଜ୍ୟରେ ଭୋକର ନମୁନା ହେଉଛି ନଗଡା। ସରକାରୀ ବିକାଶର ମୁଖଶାଳା କଳିଙ୍ଗ ନଗରର ପଡ଼ିଶାରେ ରହିଛି ନଗଡା।ଅପ ପୁଷ୍ଟିରେ ୧୯ଟା ଛୁଆ ମଲା ପରେବି ଆମେ ନଗଡାର କ୍ୟାପସନ ଫଟ-ମାନସୀକୁ ବଞ୍ଚେଇବାରେ ଅକ୍ଷମ ହେଲୁ। ତିନି ବର୍ଷରେ ମାତ୍ର ୬୦ ଟା ପରିବାରର ଚିତ୍ରକୁ ବି ଗୋଟେ ରାଷ୍ଟ୍ର ବଦଳେଇ ନ ପାରିବା ଏକ ବିଡ଼ମ୍ବନା ନୁହେଁକି!
….କିନ୍ତୁ ଆମେ ଶୌଚାଳୟ ପ୍ରତିଜ୍ଞାରୁ ହଟିନାହୁଁ! ଏହା ଏକ ଉପଲବ୍ଧି। କ୍ୟାମେରା ଦେଖିଲା ମାତ୍ରେ ଆମ ନେତା ମାନେ ଝାଡୁ ଖୋଜନ୍ତି। ଭୋକ ଆମ ପରିଚୟ। ସ୍ମାର୍ଟ ସିଟି ଆମ ସ୍ୱାଭିମାନର ପ୍ରତୀକ।
