ନବରଙ୍ଗପୁର : ନବରଙ୍ଗପୁରରେ କାଜୁ ଜଙ୍ଗଲ ସୃଷ୍ଟି ନାଁରେ ଚାଷୀଙ୍କୁ ମୋହରା ବନାଇ ୨୨ ଲକ୍ଷ ଟଙ୍କା ହଡ଼ପ୍ କରିଛନ୍ତି ସରକାରୀ ବାବୁ। ଜିଲ୍ଲାର ଦୁଇଟି ବ୍ଲକରେ ଏପରି ବଡ଼ ଧରଣର ଚାରା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।

୨୦୧୭-୧୮ ଆର୍ଥିକ ବର୍ଷରେ MGNREGA ଯୋଜନାରେ ତେନ୍ତୁଳିଖୁଣ୍ଟି ବ୍ଲକ ପାତ୍ରପୁଟ ଗାଁରେ ୨୦ ହେକ୍ଟର ଜମିରେ କାଜୁ ଚାରା ରୋପଣ ପାଇଁ ୨୦ ଚାଷୀଙ୍କୁ ପ୍ରବର୍ତ୍ତା ଯାଇଥିଲା। ଉଦ୍ୟାନ କୃଷି ବିଭାଗ ତଥ୍ୟ ଅନୁସାରେ ଏସବୁ ଜମିରେ କାଜୁ ଚାରା ରୋପଣ ପାଇଁ ଚାଷୀଙ୍କୁ ସବୁ ପ୍ରକାର ସହାୟତା ମିଳିଥିଲା। କାଜୁ ଚାରା ରୋପଣ ପାଇଁ ଚାଷୀଙ୍କୁ ପାରିଶ୍ରାମିକ, ଔଷଧ, ଖତସାର, ପଲିଥିନ ଓ ରକ୍ଷଣାବେକ୍ଷଣ ପାଇଁ ୧୦ ଲକ୍ଷ ୭୭ ହଜାର ୯୮୫ ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ ଚାରା ବ୍ୟତୀତ ଆଉ କୌଣସି ସହାୟତା ଚାଷୀଙ୍କୁ ଦିଆଯାଇନଥିବା ଅଭିଯୋଗ ହୋଇଛି। ଏମିତିକି ଚାରା ଲଗାଇଦେବା ପରେ ଆଉ ଉଦ୍ୟାନ କୃଷି ବିଭାଗ ଅଧିକାରୀଙ୍କ ଦେଖା ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।ପାତ୍ରପୁଟ ଚାଷୀ କେଶବ ଅମାନତ୍ୟ କହିଛନ୍ତି-“ଚାରା ରୋପଣ କଲେ ୩ ବର୍ଷ ପର୍ଯ୍ୟନ୍ତ ପଇସା ମିଳିବ ବୋଲି କୁହାଯାଇଥିଲା। ହେଲେ ଆଜିପର୍ଯ୍ୟନ୍ତ ମଜୁରି ବାବଦକୁ ପଇସା ମିଳିନି। ରୋପଣ ହୋଇଥିବା ଚାରା ରକ୍ଷଣାବେକ୍ଷଣା ଅଭାବରୁ ମରିଗଲାଣି।”
