ଯାଜପୁର: ମତେ ସାପ କାମୁଡିଲା..ମୁଁ ସାପକୁ କାମୁଡି ଦେଲି । ଆଉ ତା ପରେ ସାପ ମରିଗଲା । ଏ ଘଟଣା ଶୁଣିଲେ ହୁଏ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଏ ପାରେ, କିନ୍ତୁ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଦାନଗଦି ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ପଞ୍ଚାୟତ ଗମ୍ଭାରୀପାଟିଆ ଗ୍ରାମରେ ।
କିଶୋର ବଦରା । ବୟସ 45 ବର୍ଷ । ବୁଧବାର ସନ୍ଧ୍ୟା 6 ଟା ବେଳେ ଚାଷ ଜମିରୁ ଫେରୁଥିଲେ । ହଠାତ୍ ତାଙ୍କୁ ଏକ ସାପ କାମୁଡିଦେଇଥିଲା । ସେ ଡରି ନଥିଲେ, କି ଦୌଡି ପଳାଇନଥିଲେ । ବରଂ ସାପ ଟିକୁ ଧରି ନିଜେ ପରଖି ଦେଖିଥିଲେ ସେ ସାପଟି ଚିତି ସାପ । ଆଉ ସଙ୍ଗେ ସଙ୍ଗେ ପ୍ରତିଶୋଧ ପରାୟଣ ହୋଇ ସାପଟିକୁ ଅତି ନିର୍ମମ ଭାବେ କାମୁଡି କାମୁଡି ମାରିଦେଲେ । ସାପର ରକ୍ତକୁ ପିଇ ଦେଲେ ।
ପରେ ଘରକୁ ଫେରି ତାଙ୍କ ସ୍ତ୍ରୀ କୁ ଏ କଥା ଜଣାଇଥିଲେ ଓ ହାତରେ ସାପଟିକୁ ଧରି ଗାଁରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣିଆ ପାଖକୁ ଯାଇ ଝଡ଼ା ଫୁଙ୍କା ଆରମ୍ଭ କରିଥିଲେ ସତ କିନ୍ତୁ ମେଡିକାଲ ଯାଇ ନ ଥିଲେ । ପରେ ସ୍ଥାନୀୟ ଲୋକେ ମେଡିକାଲ ଯିବାକୁ ଯେତେ ବାଧ୍ୟ କରିଥିଲେ ମଧ୍ୟ ସେ କାହା କଥା ଶୁଣି ନ ଥିଲେ ।
ଶେଷରେ ତାଙ୍କ ଆଦିବାସୀମାନଙ୍କ ମେଡିକାଲ ବୋଲାଉଥିବା ଗାଁ ପାଖ ଏକ ସ୍ଥାନକୁ ଯାଇ ଝଡାଫୁଙ୍କା କରିଥିବା କହିଛନ୍ତି । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି ।
