ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦୋହରାଇଲା ବିଭାଗ

ଭୁବନେଶ୍ବର : ଶିକ୍ଷକଙ୍କ ବିରୋଧରେ ପୁଣି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ଚଳିତବର୍ଷ ହାଇସ୍କୁଲ ପରୀକ୍ଷାରେ ଖରାପ ରେଜଲ୍ଟ କରିଥିବା ସ୍କୁଲଗୁଡ଼ିକର ପ୍ରଧାନ ଶିକ୍ଷକ ଓ ଶିକ୍ଷକମାନଙ୍କ ପ୍ରତି ରାଜ୍ୟ ସରକାର କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ଯେଉଁ ୮୨ଟି ହାଇସ୍କୁଲରେ ପରୀକ୍ଷା ଫଳ ଶୂନ ହୋଇଥିଲା ଓ ଯେଉଁ ସ୍କୁଲର ପରୀକ୍ଷା ଫଳ ୫୦%ରୁ କମ୍ ଥିଲା ସେସବୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ବାର୍ଷିକ ଇନକ୍ରିମେଣ୍ଟ ଓ ସେଠାରେ ଦଶମ ଶ୍ରେଣୀ ପଢ଼ାଉଥିବା ଶିକ୍ଷକମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସପ୍ତାହକ ମଧ୍ୟରେ ଏସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସରକାରଙ୍କୁ ଅବଗତ କରିବା ନିମନ୍ତେ ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଚଳିତବର୍ଷ ହାଇସ୍କୁଲ ପରୀକ୍ଷାରେ ସମ୍ପୂର୍ଣ୍ଣ ଶୂନ ଫଳାଫଳ କରିଥିବା ୮୨ଟି ସ୍କୁଲର ଶିକ୍ଷକମାନଙ୍କୁ କାହିଁକି ନିଲମ୍ବନ କରାନଯିବ ଓ ଅନୁଦାନପ୍ରାପ୍ତ ସ୍କୁଲର ଗ୍ରାଣ୍ଟ-ଇନ-ଏଡକୁ କାହିଁକି ପ୍ରତ୍ୟାହାର କରାନଯିବ ବୋଲି ଜୁନ୍ ୭ତାରିଖରେ କୈଫୟିତ ତଲବ କରାଯାଇଥିଲା । ଏହାସହିତ ୫୦ ପ୍ରତିଶତରୁ କମ୍ ପରୀକ୍ଷା ଫଳ ହୋଇଥିବା ସ୍କୁଲଗୁଡ଼ିକର ଶିକ୍ଷକମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯିବନି ସେଥିପାଇଁ ଜୁନ୍ ୧୦ ତାରିଖରେ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ।

ମାତ୍ର ଏହି ନିର୍ଦ୍ଦେଶକୁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଗ୍ରହଣ କରି କୌଣସି କାର୍ଯ୍ୟାନୁଷ୍ଠାନ କରିନଥିବାରୁ ନିର୍ଦ୍ଦେଶାଳୟ ପକ୍ଷରୁ ପୁଣିଥରେ ସେମାନଙ୍କୁ ତାଗିଦ୍ କରାଯାଇଛି । ରୁଲ୍-୧୬ ଆଧାରରେ ସମ୍ପୃକ୍ତ ସ୍କୁଲର ଶିକ୍ଷକମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *