କଟକ : ମାନ୍ୟବର ଏସ୍ଡିଜେଏମ୍ କଟକ ସଦରଙ୍କ ଅଦାଲତରେ ନିଜର ଭରଣପୋଷଣ ପାଇଁ ଆବେଦନ କରିଛନ୍ତି ଓଲିଉଡର ବିଶିଷ୍ଟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସୂଚନା ଅନୁଯାୟୀ, ବର୍ଷା ସିଆର୍ଏଲ୍ଏମ୍ସି ନଂ.୯୪/୨୦୨୦ରେ ପ୍ରୋଟେକ୍ସନ୍ ଅଫ୍ ଓମେନ୍ ଫ୍ରମ୍ ଡୋମେଷ୍ଟିକ୍ ଭାଓଲେନ୍ସ ଆକ୍ଟ ୨୦୦୫ର ଦଫା ୧୨, ୧୮, ୧୯, ୨୦ ଓ ୨୨ରେ ମକଦ୍ଦମାଟିକୁ ଦାୟର କରିଛନ୍ତି ।
ବର୍ଷା ଏହି ମକଦ୍ଦମା ଆଉ କାହା ନାମରେ ନୁହେଁ, ତାଙ୍କ ସ୍ୱାମୀ ପ୍ରତିଷ୍ଠିତ ଓଲିଉଡ ଅଭିନେତା ଓ କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ । ମକଦ୍ଦମାରେ ବର୍ଷା ନିଜ ସ୍ୱାମୀଙ୍କୁ ମଧ୍ୟ ମଦ୍ୟପ ଏବଂ ମଧୁମେହ ରୋଗୀ ବୋଲି ଦର୍ଶାଇଛନ୍ତି । ସେ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଉପସ୍ଥିତିରେ ଅନୁଭବ ନିଜର ମଦ୍ୟପ ବନ୍ଧୁମାନଙ୍କ ସହ ମିଶି ନିଜ ଶୟନ କକ୍ଷରେ ମଦ୍ୟପାନ କରନ୍ତି ଏବଂ ତାଙ୍କୁ (ବର୍ଷାଙ୍କୁ) ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଥାନ୍ତି । ସେ ଏହାର ବିରୋଧ କରିବାକୁ ଅନେକ ଥର ତାଙ୍କୁ ଧକ୍କା ମାରି ମଧ୍ୟ ନିଜ ଘରୁ ବାହାର କରିଦେଇଛନ୍ତି ।
ବର୍ଷା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସିନେମା ଜଗତର ଅନ୍ୟ ଝିଅମାନଙ୍କ ସହ ଅନୁଭବଙ୍କର ସମ୍ପର୍କ ରହିଛି । ନିଜ ଅଭିଯୋଗ ପତ୍ରରେ ବର୍ଷା ଅନୁଭବଙ୍କ ନିକଟରୁ ଘର ଭଡ଼ା ବାବଦରେ ୨୦,୦୦୦ଟଙ୍କା, ମାସିକ ଭରଣପୋଷଣ ନିମନ୍ତେ ୫୦,୦୦୦ଟଙ୍କା, କ୍ଷତିପୂରଣ ବାବଦକୁ ୧୩କୋଟି ଟଙ୍କା ଏବଂ ସ୍ୱାସ୍ଥ୍ୟ ଚିକିତ୍ସା ଓ ରୋଜଗାର ହରାଇବାରୁ କ୍ଷତିପୂରଣ ବାବଦକୁ ୨କୋଟି ଟଙ୍କା ଦାବି କରିଛନ୍ତି । ମକଦ୍ଦମାଟି ମାନ୍ୟବର ଅଦାଲତଙ୍କ ପ୍ରୋଟେକ୍ସନ ଅଫିସରଙ୍କ ନିକଟକୁ ପଠାଇଥିବା ଜାଣିବାକୁ ମିଳିଛି ।
