ଜଳେଶ୍ବର : ( ସଂଜୟ ଦାସ ) ପଞ୍ଚାୟତର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟିକୋଟି ଟଙ୍କା ଯୋଗାଉଥିଲା ବେଳେ ସରକାରୀ ଅର୍ଥ ଗାଁର ବିକାଶ କାର୍ଯ୍ୟରେ ନଲାଗି ଖୋଦ ସରକାରୀ କର୍ମଚାରୀ ପିଇଓ,ଜେଇ ଓ ସରପଞ୍ଚ ମିଳିମିଶି ମିଛ ବିଲକରି ସରକାରଙ୍କ ଅର୍ଥ ହଡ଼ପ କରି ଆତ୍ମସାତ କରିଥିବା ନେଇ ଜିଲାପାଳଙ୍କ ଠାରେ ନାଏବ ସରପଞ୍ଚ ଓ ଓ୍ବାଡ ମେମ୍ବର ଆଣିଲେ ସାଂଘାତିକ ଅଭିଯୋଗ । ଖବରରୁ ଜଣାପଡିଛି ଯେ ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଲକ ନଛିମପୁର ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଦୀପାଳି ଜେନା ଓ ପଞ୍ଚାୟତ ଦାୟିତ୍ୱରେ ଥିବା ପିଇଓ ରିତାଞ୍ଜଳି ଦାସ , କନିଷ୍ଠ ଯନ୍ତ୍ରୀ ରବିନ୍ଦ୍ର ପ୍ରଧାନ ମିଳିମିଶି ବିଭିନ୍ନ ସରକାରୀ ଯୋଜନାର ଅର୍ଥକୁ କାମରେ ଖର୍ଚ୍ଚ ନକରି ମିଛ ବିଲ କରି ଆତ୍ମସାତ କରିଛନ୍ତି । ଯଥା ବାତ୍ୟା ତିତିଲି କ୍ଷୟ କ୍ଷତି ପାଇଁ ପଞ୍ଚାୟତର ୬ ନଂ ଓ୍ବାଡ ପାଇଁ ଆସିଥିବା ୧ ଲକ୍ଷ ୨୫ ହଜାର ସରକାରୀ ଅର୍ଥକୁ ତିନିଜଣ ମିଶି ଭାଗବଣ୍ଟା କରି ଖାଇ ଖୋଳ କରିଛନ୍ତି ବୋଲି ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଅଭିଯୋଗକାରୀ। ଖାଲି ସେତିକି ନୁହେଁ ପ୍ରଧାନମନ୍ତ୍ରୀ ଆବାସ ଗୃହ ଠାରୁ ଆରମ୍ଭ କରି ରାସ୍ତା କାମ ଯାଏଁ ସବୁଥିରେ ହିତାଧିକାରୀଙ୍କ ଠାରୁ ପିସି ନେବା ସହ ନିମ୍ନମାନର କାମକରି ସରକାରୀ ଅର୍ଥ ମାରଣା କରୁଛନ୍ତି । ତେବେ ଏହି ତିନିଜଣଙ୍କ କାର୍ଯ୍ୟ ଚଞ୍ଚକତା ସମ୍ପର୍କରେ ମୁହଁ ଖୋଲିଛନ୍ତି ନାୟବ ସରପଞ୍ଚ ଓ ଓ୍ବାଡ ମେମ୍ବର । ଗତ ତା ୧୩/୧୧/୨୦୧୮ ରିଖରେ ଜଳେଶ୍ବର ବିଡ଼ିଓଙ୍କ ଠାରେ ପିଇଓଙ୍କ କାର୍ଯ୍ୟ ଦୁର୍ନୀତି ସମ୍ପର୍କରେ ଅଭିଯୋଗ ହୋଇଥିଲା । ସବୁଠାରୁ ବଡ଼କଥା ଯେ ପଞ୍ଚାୟତରେ ନୂତନ ଭାବେ ୧୩ ଗୋଟି ନଳକୂପ ନିର୍ମାଣ କାମ ସରିନଥିବା ବେଳେ ସମସ୍ତ ବିଲ ଉଠାଇନିଆ ଗଲା କେମିତି ବୋଲି ଅଭିଯୋଗ ହୋଇଛି । କଥା ଏତିକିରେ ସରି ନାହିଁ ସ୍ତ୍ରୀ ଦୀପାଳି ଜେନା ସରପଞ୍ଚ ଜିତିବା ପରେ କୁଆଡେ ସ୍ୱାମୀ ସପନ ସରକାରୀ କାମରେ ଦାଦା ଗିରି ଚଳାଇଛନ୍ତି । ସ୍ୱାମୀର ଏଭଳି କାର୍ଯ୍ୟକୁ ନେଇ ସ୍ତ୍ରୀ ସରପଞ୍ଚଙ୍କ ଅପାରଗତା ଉପରେ ଆଙ୍ଗୁଳି ଉଠାଇଛନ୍ତି ଅଭିଯୋଗ କାରୀ। ତେବେ କଥା ହେଉଛି ଯଦି ଅଭିଯୋଗ କାରୀଙ୍କ ଅଭିଯୋଗ ସତ୍ୟ ଥାଏ ତାହାଲେ ତଦନ୍ତକୁ ରହିଲା ଅପେକ୍ଷା। ତେବେ ଗତ କିଛିଦିନ ତଳେ ପିଇଓ ରିତାଞ୍ଜଳି ଭତ୍ତାଟଙ୍କା ହଡପ ହଡପ କରୁଥିବା ଘଟଣା ସାମ୍ନାକୁ ଆସିଥିଲା। ଘଟଣା ସମ୍ପର୍କରେ ପିଇଓ,ସରପଞ୍ଚ,ଜେଇଙ୍କୁ ଫୋନଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟାକରିଥିଲୁ ହେଲେ ଯୋଗଯୋଗ ହୋଇପାରିନାହିଁ।
