ଏନଏମଏ ଓ ଏନଓସି ର ଚିଠିକୁ ନେଇ ବିବାଦ

ପୁରୀ : ଶ୍ରୀମନ୍ଦିର ହେରିଟେଜ କରିଡର୍ ପ୍ରକଳ୍ପକୁ ନେଇ ବିବାଦ ଲଗାତାର ଲାଗି ରହିଥିବା ବେଳେ, ଏନଏମଏ ଏନଓସି ର ସମ୍ପୂର୍ଣ୍ଣ ଚିଠି ଏବେ ବିବାଦକୁ ଆହୁରି ଦୁଇଗୁଣିତ କରିଛି । ଗତ ୭ ତାରିଖରେ ପୁରୀ ଜିଲ୍ଲାପାଳ ହେରିଟେଜ କରିଡର୍ ପ୍ରକଳ୍ପକୁ ନେଇ ଲାଗି ରହିଥିବା ବିବାଦ ଉପରୁ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ପ୍ରେସମିଟ୍ ଜରିଆରେ ସ୍ପଷ୍ଟୀକରଣ ରଖି ଏକ ଅଧାଭଙ୍ଗା ଚିଠି ଦେଖାଇଥାଲେ ।

ଯେଉଁ ଚିଠିରେ ଲେଖାଥିଲା ଭକ୍ତଙ୍କ ସୁବିଧା ପାଇଁ କ୍ଲକ୍ ରୁମ୍, ମିନି କ୍ଲକ୍ ରୁମ୍, ସେଲଟର ପାଭିଲିଅନ୍, ଟଏଲେଟ୍, ଇଲେକ୍ଟ୍ରି ରୁମ୍ ଇତ୍ୟାଦି ୭୫ ମିଟର ମଧ୍ୟରେ ନିର୍ମାଣ ପାଇଁ ଜାତୀୟ କୀର୍ତ୍ତିରାଜୀ ପ୍ରାଧୀକରଣ ଅନୁମତି ଦେଇଛି । କିନ୍ତୁ ଏନଏମଏ ଏନଓସି ର ପୁରା ଚିଠି ଏବଂ ଏଏସାଇ ଡିଜିଙ୍କ ପୁରୀ ଗସ୍ତର ଭିଜିଟ୍ ନୋଟ୍ ଏବେ ହେରିଟେଜ କରିଡର୍ ପ୍ରକଳ୍ପର ଭାଗ୍ୟ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏନଏମଏ ଦେଇଥିବା ଏନଓସି ରେ ଲେଖାଯାଇଛି ବଡବଡ ପ୍ରକଳ୍ପ ଯଥା ରିସପସନ ସେଣ୍ଟର, ଇନଫରମେସନ କମ ଡୋନେସନ କିସକୋ, ଫାଷ୍ଟ ଏଡ଼ ସେଣ୍ଟର, ପୁଲିସ ସର୍ଭିସ ସେଣ୍ଟର, ଏଟିଏମ କିସକୋ ଇତ୍ୟାଦି ୧୦୦ ମିଟର ନିଷେଦ୍ଧାଞ୍ଚଳରେ କେଉଁ ଜାଗାରେ କରାଯିବ ପ୍ରଶାସନ ତାହା ସ୍ପଷ୍ଟ କରୁ ନଚେତ୍ ମେଘନାଦ ପାଚେରୀ ଠାରୁ ରେଗୁଲେଟେଡ୍ ଏରିଆ ଯାହାକି ୧୦୦ ମିଟର ଠାରୁ ୨୦୦ ମିଟର ମଧ୍ୟରେ ଆସୁଛି ସେହି ଜାଗାରେ ନିର୍ମାଣ କରାଯାଉ ।

ଏଠି ପ୍ରଶ୍ନ ଉଠୁଛି ଯଦି ବଡବଡ ପ୍ରକଳ୍ପ ପ୍ରଶାସନ ରେଗୁଲେଟେଡ୍ ଏରିଆ ଭିତରେ ନିର୍ମାଣ କରିବ ତେବେ ଆହୁରି ଉଚ୍ଛେଦ ପ୍ରକ୍ରିୟା କରାଯିବ । ଯାହାକି ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ହବ । ଏବେ ଅନ୍ୟ ଚିଠା ଉପରେ ନଜର ପକାନ୍ତୁ ଯାହା ହେଉଛି ଏଏସାଇ ଡିଜିଙ୍କ ପୁରୀ ଗସ୍ତ ସମୟର ଚିଠି । ଏଥିରେ ସିଧାସଳଖ ଲେଖାଯାଇଛି ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ  ରିସେପସନ୍ ସେଣ୍ଟର ବା ଅଭ୍ୟର୍ଥନା କେନ୍ଦ୍ର ୧୦୦ ମିଟର ବାହାରେ କରାଯାଉ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ହେରିଟେଜ କରିଡର୍ ପ୍ରକଳ୍ପ ନକ୍ସାରେ ରିସେପସନ୍ ସେଣ୍ଟର ବା ଅଭ୍ୟର୍ଥନା କେନ୍ଦ୍ର କରିବାକୁ ଅନୁମତି ଥିବାବେଳେ, ଏବେ ତାହା ୧୦୦ ମିଟର ବାହାରେ କେଉଁ ଜାଗାରେ କରାଯିବ । ପୁର୍ନବାର ଏହି ପ୍ରକଳ୍ପ ପାଇଁ ପ୍ରଶାସନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବନି ତ ? ପୂର୍ବରୁ ପ୍ରଶାସନ କ’ଣ ପାଇଁ ଏହା ସ୍ପଷ୍ଟ କଲା ନାହିଁ । ଯାହାକୁ ନେଇ ଲୋକଙ୍କ ମନରେ ଆଶା ଆଶଙ୍କା ସୃଷ୍ଟି ହୋଇଛି । ଅନ୍ୟପଟେ ନିର୍ମାଣ କାର୍ଯ୍ୟ ପାଇଁ ଏଏସାଇର ଅନୁମତିପତ୍ରକୁ ସାର୍ବଜନୀନ କରିବାକୁ ସାଧାରଣରେ ଦାବି ହୋଇଛ ।

Leave a Reply

Your email address will not be published. Required fields are marked *