ତେଲକୋଇ : ହୁତୁ ହୁତୁ ହୋଇ ଜଳୁଛି ସମାକୋଇ ସଂରକ୍ଷିତ ଜଙ୍ଗଲ । ନିଆଁର ଆଁ ଭିତରେ ରହିଛି କୁଇଲିସୂତା ଗାଁର ମାଟିହୁଳି ଜଙ୍ଗଲ । ଜଳୁଛି ଜଙ୍ଗଲ ଆଉ ସଙ୍କଟରେ ବନ୍ୟଜନ୍ତୁ । ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟର ଭିମକାଣ୍ଡ ପଞ୍ଚାୟତ କୁଇଲିସୂତା ଗାଁ ନିକଟ ମାଟିହୁଳି ଜଙ୍ଗଲ ଏବେ ନିଆଁର ଆଁ ଭିତରେ ରହିଛି । ହୁତୁ ହୁତୁ ହୋଇ ଜଳୁଛି ଏକର ଏକର ମୂଲ୍ୟବାନ ଜଙ୍ଗଲ । ଜଙ୍ଗଲ ନିଆଁରେ ମୂଲ୍ୟବାନ ଗଛଲତା ଜଳିଯିବା ସହ ଔଷଧୀୟ ଗୁଳ୍ମ ମଧ୍ୟ ନଷ୍ଟ ହୋଇଗଲାଣି । ଜଙ୍ଗଲରେ ଥିବା ବାରାହା୍, କୁଟୁରା ସମ୍ବର, ହରିଣ ଆଦି ବନ୍ୟଜନ୍ତୁ ବାସସ୍ଥାନ ହରାଇ ଗାଁ ମୁହାଁ ହେଉଛନ୍ତି । ଫଳରେ ହରିଣ, କୁଟୁରା ଭଳି ବନ୍ୟଜନ୍ତୁ ଶିକାରୀ କୁକୁରଙ୍କ ହାବୁଡରେ ପଡି ପ୍ରାଣ ହରାଉଛନ୍ତି । ସରିସୃପ ଜାତୀୟ ଜୀବଙ୍କ କଥା ନ କହିଲେ ଭଲ । ୬ ଦିନ ହେବ ତେଲକୋଇ ରେଞ୍ଜର ବିଭିନ୍ନ ଜଙ୍ଗଲରେ ନିଆଁ ତାଣ୍ଡବଲୀଳା ସୃଷ୍ଟି କରିଚାଲିଛି । ମାର୍ଚ୍ଚ ପ୍ରଥମ ସପ୍ତାହରୁ ସର୍ବଗ୍ରାସୀ ନିଆଁ ଯେଭଳି ଭାବରେ ଉଗ୍ର ରୂପ ଧାରଣ କଲାଣି, ବେଳ ଥାଉଁ ଥାଉଁ ବନବିଭାଗ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଶହ ଶହ ହେକ୍ଟର ମୂଲ୍ୟବାନ ଜଙ୍ଗଲ ସହ ବିରଳ ପ୍ରଜାତିର ବଜ୍ରକାପ୍ତା ଓ ଅନ୍ୟ ଜୀବଜନ୍ତୁ ଲୋପ ପାଇବାର ଆଶଙ୍କା ଦେଖାଦେଇଛି ।
