ବିଧବା ମହିଳାଙ୍କ ଟିପକୁ ଜାଲ କରି ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ହଡ଼ପ କଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ପାଟଣା : ଗରିବଙ୍କ କଲ୍ୟାଣ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା କରିଥିବା ବେଳେ ଜଣେ ବିଧବା ମହିଳାଙ୍କ ଟିପକୁ ଜାଲ କରି ହରିଶ୍ଚନ୍ଦ୍ର ଯୋଜନାରେ ଆସିଥିବା ଅର୍ଥକୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ହଡ଼ପ କରିଥିବା ଅଭିଯୋଗ ହୋଇଛି । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତରୁ ଆସିଛି ଏଭଳି ଅଭିଯୋଗ । ପଞ୍ଚାୟତର ଜମୁନାଳିଆ ଗ୍ରାମର ବିଧବା ମହିଳା ଚାନ୍ଦମଣୀ ବେହେରାଙ୍କ ସ୍ୱାମୀ ନୀଳମଣି ବେହେରାଙ୍କ ଦୁଇ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଥିଲା  ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କାର ଅର୍ଥ ରାଶି ପାଇବାକୁ ପଞ୍ଚାୟତରେ ଆବେଦନ କରିଥିଲେ । ବାରମ୍ବାର ପଞ୍ଚାୟତକୁ ଯାଇ ଯାଇ ନୟାନ୍ତ ହେବା ପରେ ତାଙ୍କ ଟିପ ଚିହ୍ନକୁ ମାରି ଟଙ୍କା କେହି ଉଠାଇ ନେଇଥିବା ଜାଣିବାକୁ ପାଇବା ପରେ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଟଙ୍କାକୁ ହଡ଼ପ କରିଥିବା ଅଭିଯୋଗ ଆଣିଛନ୍ତି ଚାନ୍ଦମଣୀ । ଏପରିକି କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କୁ କୁକୁଡ଼ା ଲାଞ୍ଚ ମାଗିଥିବା ଅଭିଯୋଗ ଆଣିଛନ୍ତି ଚାନ୍ଦମଣୀ । କୁକୁଡ଼ା ବଦଳରେ ଏକ ହଂସ ଦେବା ପରେ ମଧ୍ୟ ତାଙ୍କ ଟଙ୍କାକୁ ହଡ଼ପ କରିଛନ୍ତି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ଟଙ୍କା ହଡ଼ପ କଥା ଜାଣିବା ପରେ ସେ ପଞ୍ଚାୟତକୁ ଯାଇ ଅଭିଯୋଗ କରିବାରୁ କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କୁ ଓ ତାଙ୍କ ପୁଅ ବସନ୍ତକୁ  ଧମକ ଦେଇଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି । କେବଳ ଚାନ୍ଦମଣିଙ୍କ ପକ୍ଷରେ ଏଭଳି ହଡ଼ପ ନୁହଁ ପୂର୍ବରୁ ଏପରି ଅନେକ ଲୋକଙ୍କ ଟଙ୍କା ହଡ଼ପ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଘଟଣାର ଉପଯୁକ୍ତ ତଦନ୍ତ କରି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକରିଛନ୍ତି ଅଞ୍ଚଳବାସୀ ।

Leave a Reply

Your email address will not be published. Required fields are marked *