ରାୟଗଡ଼ା : ରାୟଗଡ଼ାରେ ବାକିରେ ଚାଲିଛି ମନରେଗା (ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା) । ମାସ ମାସ ଧରି ଅନୁଦାନ ପ୍ରଦାନରେ କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁ ନିର୍ମାଣଧୀନ ପ୍ରକଳ୍ପର ଅଗ୍ରଗତି ଠପ୍ ହୋଇ ପଡିଛି । ଠିକ୍ ସମୟରେ ମଜୁରି ମିଳୁନଥିବାରୁ କାମ ଆବେଦନ ନ କରି ଶ୍ରମିକମାନେ ପୁଣି ଦାଦନ ଖଟିବାକୁ ଅନ୍ୟ ରାଜ୍ୟ ମୁହାଁ ହେଲେଣି । ଜିଲ୍ଲାରେ ଶ୍ରମିକଙ୍କ ମଜୁରି ଓ ନିର୍ମାଣ ସାମଗ୍ରୀ ବକେୟା ୫୦ କୋଟି ଟପିଥିବା ବେଳେ ନିର୍ମାଣଧୀନ ପ୍ରକଳ୍ପର ଅଗ୍ରଗତି ପାଇଁ ୧୧ ବ୍ଲକରେ ନାହିଁ ଟଙ୍କାଟିଏ ଅନୁଦାନ ।
୨୦୨୧-୨୨ ଆର୍ଥିକ ବର୍ଷରେ ୧୧ଟି ବ୍ଲକର ୧୩୨୨୩୦ ପରିବାରକୁ କର୍ମ ନିଯୁକ୍ତି ମିଳିଥିବାବେଳେ, ୭୯୦୩୨୦୫ ଶ୍ରମ ଦିବସ ସୃଷ୍ଟି ହୋଇଛି । ୬୯୬୩ ପରିବାର ଶହେ ଦିନ ଏବଂ ୫୧୨ ପରିବାର ୧୫୦ ରୁ ଉର୍ଧ୍ବ ଦିନ କାମ କରିଛନ୍ତି । କରୋନା ଯୋଗୁ ଚଳିତ ଆର୍ଥିକ ବର୍ଷରେ ଜିଲ୍ଲା ପ୍ରଶାସନ ମନରେଗା ଯୋଜନାରେ ୯୦୦୩ ପ୍ରକଳ୍ପର ନିର୍ମାଣ କାମ ହାତକୁ ନେଇଥିଲେ । ଜିଲ୍ଲାର ୪୫୦ ରୁ ଉର୍ଧ୍ବ ଗାଁକୁ ରାସ୍ତାନଥିବାରୁ ପାଇଲଟ୍ ପ୍ରୋଜେକ୍ଟ ଭାବେ ରାସ୍ତା ନିର୍ମାଣ, ଘାଟ କଟିଂ, ରାସ୍ତା ପ୍ରଶସ୍ତିକରଣ, ବିଚ୍ଛିନ୍ନାଞ୍ଚଳ ରାସ୍ତାରେ କଲର୍ଭଟ ଓ ଗାର୍ଡୱାଲ୍ ନିର୍ମାଣକୁ ଗୁରୁତ୍ବ ଦିଆଯାଇଥିଲା । ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ୨୨ ଦିନ ବାକିଥିବାବେଳେ, ଅନୁଦାନ ଓ ଶ୍ରମିକ ଅଭାବ କାରଣରୁ ୫୪୩ ପ୍ରକଳ୍ପର ନିର୍ମାଣ ଶେଷ ହୋଇଛି ।
ଚଳିତ ଆର୍ଥିକ ବର୍ଷ ଆରମ୍ଭ ସମୟରେ ମନରେଗା କାର୍ଯ୍ୟକାରୀ ପାଇଁ ୧୧ ବ୍ଲକ୍ ନିକଟରେ ୧୬୪୫୦.୪୯ ଲକ୍ଷ ଟଙ୍କା ଓ ଲାଇନ୍ ଡିପାର୍ଟମେଣ୍ଟ୍ ଗୁଡ଼ିକରେ ୯୭୩୮.୪୪ ଲକ୍ଷ, ଡିପିସିରେ ୩୭.୬୮ ଲକ୍ଷ ମୋଟ ୨୬୨୨୬.୬୧ ଲକ୍ଷ ମହଜୁଦ୍ ଥିଲା । ଆଜି ସୁଦ୍ଧା ବ୍ଲକ୍ ଗୁଡ଼ିକରେ ଶ୍ରମିକଙ୍କ ମଜୁରି ଓ ନିର୍ମାଣଧୀନ ସାମଗ୍ରୀ ବାବଦକୁ ବ୍ୟୟ ଅଟ୍ଟକଳ ୨୫୪୭୧.୬୨ ଲକ୍ଷ, ଲାଇନ୍ ଡିପାର୍ଟମେଣ୍ଟର ବ୍ୟୟ ଅଟ୍ଟକଳ ୧୩୭୦.୭୩ ଲକ୍ଷ, ଡିପିସିର ୩୬.୯୭ ଲକ୍ଷକୁ ମିଶାଇ ଖର୍ଚ୍ଚ ପରିମାଣ ୨୬୮୭୯.୩୨ ଲକ୍ଷରେ ପହଞ୍ଚିଲାଣି । ବ୍ୟୟ ଅଟ୍ଟକଳକୁ ଭରଣା ପାଇଁ ଆହୁରି ୪୯ କୋଟି ୮୭ ଲକ୍ଷ ୫୭ ହଜାର ଟଙ୍କାର ଆବଶ୍ୟକତା ରହିଛି । କିନ୍ତୁ କେନ୍ଦ୍ରରୁ ଅନୁଦାନ ଆସିପାରିନଥିବାରୁ ଜିଲ୍ଲାରେ ମନରେଗା ଯୋଜନା ବାଟବଣା ହେବାରେ ଲାଗିଛି ।
