ଭୁବନେଶ୍ୱର : ମାର୍ଚ୍ଚ ୨୫ ତାରିଖରୁ ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ ଏବଂ ଏହା ୩୧ ଯାଏ ଚାଲିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି, ମାର୍ଚ୍ଚ ୨୫ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ ଏବଂ ସେହି ଦିନ ହିଁ ରାଜ୍ୟପାଳ ନିଜର ଅଭିଭାଷଣ ରଖିବେ । ଏହା ପରେ ୨୬ ଓ ୨୮ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା କରାଯିବ ।
ତେବେ ମାର୍ଚ୍ଚ ୩୦ ତାରିଖରେ ବିଧାନସଭାରେ ବଜେଟ ଉପସ୍ଥାପିତ ହେବ । ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଆଗତ ହେବ ବଜେଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଜ୍ୟ ବଜେଟ ଉପସ୍ଥାପନ କରିବେ । ୩୧ ତାରିଖରେ ବ୍ୟୟ ମଞ୍ଜୁରି ବିଲ୍ ପାରିତ ହେବ । ଏଥର ବଜେଟ ଅଧିବେଶନରେ ମୋଟ ଛଅଟି କାର୍ଯ୍ୟଦିବସ ରହିବ । ତେବେ ଏହି ବଜେଟ ଅଧିବେଶନରେ କୋଭିଡ କଟକଣା ରହିବ କି ନା ସେନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସହ ପରାମର୍ଶ କରିବେ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ସ୍ବାସ୍ଥ୍ୟ ବିଭାଗ ସହ ପରାମର୍ଶ ପରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, କିଛି ଦିନ ତଳେ ବିଧାନସଭା ବଜେଟ ଅଧିବେଶନ ସଂପର୍କରେ ସୂଚନା ଦେଇ ବାଚସ୍ପତି କହିଥିଲେ, ମାର୍ଚ୍ଚ ୩୧ ତାରଖରୁ ପୂର୍ବରୁ ବସିବ ବିଧାନସଭା ବଜେଟ ଅଧିବେଶନ । ରାଜ୍ୟପାଳଙ୍କ ଅନୁମୋଦନ ଆସିବା ପରେ ବିଧିବଦ୍ଧ ତାରିଖ ଘୋଷଣା ହେବ ବୋଲି ସେ କହିଥିଲେ ।
