ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଏନ୍‌ଏମ୍‌ଏର ଅନୁମତି ପ୍ରସଙ୍ଗ : ଆଧା କହିଲେ, ଆଧା ଢ଼ୋକିଲେ ଜିଲ୍ଲାପାଳ

ପୁରୀ : ବହୁଦିନର ବାଦବିବାଦ ପରେ ଆଜି ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଉପରେ ମୁହଁ ଖୋଲିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ସେ ପୁଣି ହାତଗଣତି ଗଣମାଧ୍ୟମ ଆଗରେ । ଦାବି କରିଛନ୍ତି, ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ଏନ୍‌ଏମ୍‌ଏର ଅନୁମତିପତ୍ର ମିଳିସାରିଛି । ସେହି ଆଧାରରେ ନିର୍ମାଣ କାର୍ଯ୍ୟ କରାଯାଉଛି । କିନ୍ତୁ ଯେଉଁ ଚିଠି ଆଧାରରେ ଜିଲ୍ଲାପାଳ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ମଞ୍ଜୁର କଥା ଦାବି କରୁଛନ୍ତି, ସେ ଚିଠି ଗଣମାଧ୍ୟମ ଆଗରେ ଉପସ୍ଥାପନ କରିନାହାନ୍ତି । କାରଣ ଏହି ଚିଠିରେ ଏନ୍‌ଏମ୍‌ଏର ଅନୁମୋଦନ ସମ୍ପର୍କିତ ଅନେକ ବିସ୍ଫୋରକ କଥା ରହିଛି । ପ୍ରକଳ୍ପର ଅନେକ ନିର୍ମାଣ କାର୍ଯ୍ୟ ଉପରେ ଏମ୍‌ଏମ୍‌ଏ ଆପତ୍ତି ଉଠାଇଛି । ଯେଉଁଥିପାଇଁ ପ୍ରକଳ୍ପ ଉପରେ ଜିଲ୍ଲାପାଳ ଅଧା ମୁହଁ ଖୋଲି, ଅଧା ଢୋକି ଦେଇ ବିଭ୍ରାନ୍ତି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି ।

ଜିଲ୍ଲାପାଳ ଆଜି ଏନ୍‌ଏମ୍‌ଏ ଅନୁମତି ନେଇ ଦାବି ରଖିଛନ୍ତି ସେ ନେଇ ଗତବର୍ଷ ସେପ୍ଟେମ୍ବର ୧୩ ତାରିଖରେ ପ୍ରକଳ୍ପ ଉପରେ ଏନ୍‌ଏମ୍‌ଏ ଶ୍ରୀମନ୍ଦିର ପ୍ରଶାସନକୁ ଏହି ଚିଠି(ଏମ୍‌ଏନ୍‌ନଂ.୨-୫/୮୦/୨୦୨୧) କରିଥିଲେ । ପୁରୁଷ ଓ ମହିଳା ଭକ୍ତଙ୍କ ପାଇଁ ଶୌଚାଳୟ, ସେବାୟତଙ୍କ ପାଇଁ ଶୌଚାଳୟ, କ୍ଲୋକ୍‌ ରୁମ, ମିନି କ୍ଲୋକ୍‌ ରୁମ, ଇଲେକ୍ଟ୍ରି ରୁମ୍‌ କରିବାକୁ ଅନୁମତି ପ୍ରଦାନ କରିଥିଲେ । ସେହିଭଳି ପାଦଚଲା ରାସ୍ତା, ଭକ୍ତଙ୍କ ଅପେକ୍ଷା ସ୍ଥାନକୁ ବି ମଞ୍ଜୁରି ମିଳିଥିଲା । ଆମସାର ଆଇନ-୧୯୫୮, ସେକ୍ସନ୍‌-୨(ଡିସି) ଆଧାରରେ ଏହି ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିଥିବା ଦର୍ଶାଇଥିଲେ । ଯାହା ଏକ୍ସସେପ୍‌ନାଲ୍‌ ଥିଲା ବୋଲି ଏନ୍‌ଏମ୍‌ଏ ସ୍ପଷ୍ଟ କରିଥିଲେ । ଏହି ପ୍ରକଳ୍ପର ଅବଶିଷ୍ଟ କାମ ଯଥା ସୂଚନା ଓ ଦାନ କିଓସ୍କୋ, ଏଟିଏମ୍‌ କିଓସ୍କୋ, ଅଭ୍ୟର୍ଥନା ଗୃହ, ଭଜନ ମଣ୍ଡପ, ସଂସ୍କୃତି ମଣ୍ଡପ ଆଦି ଉପରେ ଏନ୍‌ଏମ୍‌ଏ ଆପତ୍ତି ଉଠାଇଥିଲେ । ପ୍ରକଳ୍ପର ରୂପରେଖ ପରିବର୍ତ୍ତନ ସହ ଏହା ଉପରେ ପୁନଃବିଚାର କରିବାକୁ ପରାମର୍ଶ ଦେଇଥିଲେ ।

ପୁରୀ ଜିଲ୍ଲାପାଳ ଶ୍ରୀ ବର୍ମା ସୋମବାର ଦିନ ଗଣମାଧ୍ୟମ ଆଗରେ ଯେଉଁ ତଥ୍ୟ ଉପସ୍ଥାପନ କରିଛନ୍ତି, ଏହା ଗତବର୍ଷ ସେପ୍ଟେମ୍ବର ମାସରେ ହୋଇଥିବା ଏନ୍‌ଏମ୍‌ଏର ଚିଠିକୁ ଆଧାର କରି କରିଛନ୍ତି । ଏନ୍‌ଏମ୍‌ଏ କେଉଁ ପ୍ରକଳ୍ପକୁ ଅନୁମତି ଦେଇଥିଲା ଓ କାହା ଉପରେ ଆପତ୍ତି ଉଠାଇଥିଲା, ତାହା ସ୍ପଷ୍ଟ ନ କରି ପ୍ରସଙ୍ଗକୁ ଭିନ୍ନ ମୋଡ଼ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି । ଏପରିକି ଏତେ ବଡ଼ ବଡ଼ ଖନନ ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରୁଥିବାବେଳେ ଏ ସମ୍ପର୍କିତ ପ୍ରଶ୍ନର କୌଣସି ଜବାବ ରଖିନାହାନ୍ତି ଜିଲ୍ଲାପାଳ । ଗଣମାଧ୍ୟମ ଆଗରେ କହିଛନ୍ତି, ଆମେ ଏନ୍‌ଏମ୍‌ଏ ଅନୁମତି ଆଧାରରେ ନିର୍ମାଣ କାର୍ଯ୍ୟ କରୁଛୁ। ପ୍ରତ୍ନତତ୍ତ୍ବ ବିଭାଗ ଡିଜି ଏଏସ୍‌ଆଇ ଅଧିକାରୀଙ୍କ ସହ ସମନ୍ବୟ ଭିତ୍ତିରେ ନିର୍ମାଣ କାର୍ଯ୍ୟ କରିବାକୁ କହିଥିଲା । ସେ ଦିଗକୁ ବି ଆମେ ଦୃଷ୍ଟି ଦେଉଛୁ । ପ୍ରତ୍ନତତ୍ତ୍ବ ବିଭାଗ, ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ ପୂର୍ଣ୍ଣ ରୂପ ନେବ ବୋଲି ଶ୍ରୀ ବର୍ମା କହିଛନ୍ତି ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ୭୫ ମିଟର ପରିଧିରେ ଜମି ଅଧିଗ୍ରହଣ ପରେ ଏଠାରେ ଐତିହ୍ୟ କରିଡର ପ୍ରକଳ୍ପକୁ ପୂର୍ଣ୍ଣରୂପ ଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ନିର୍ମାଣ ଓ ଖନନକୁ ନେଇ ପ୍ରତ୍ନତତ୍ତ୍ବ ବିଭାଗ ଡିଜି ଆପତ୍ତି ଉଠାଇବା ପରେ ଝଡ଼ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *