ସୋନପୁର : ନକଲି ସୁନା ବନ୍ଧକ ଦେଇ ସୋନପୁର ସ୍ଥିତ ବ୍ୟାଙ୍କ ଅଫ ବରୋଦା ଶାଖାରୁ ୧୦ ଲକ୍ଷ ୬୯ ହଜାର ଟଙ୍କା ଠକେଇ ହୋଇଥିବା ସମ୍ପର୍କରେ ସୋମବାର ଶାଖା ପରିଚାଳକ ସୋନପୁର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ସୂତ୍ରରୁ ପ୍ରକାଶ ଯେ ବରଗଡ଼ ଜିଲ୍ଲା ରୁଷୁଡ଼ା ଗ୍ରାମର ହରିଚରଣ ପୋଢ଼ ବ୍ୟାଙ୍କ୍ର ସୁନାରି ଜୟନାରାୟଣ ମହାରଣାଙ୍କ ସହଯୋଗରେ ଏହି ଠକେଇ କରିଥିବା ଅଭିଯୋଗ ହୋଇଛି । ହରିଚରଣ ୧୦.୬.୨୦୧୯ ରୁ ୨୦.୫.୨୦୨୧ ମଧ୍ୟରେ ବ୍ୟାଙ୍କ୍ରେ ସୁନା ବନ୍ଧକ ଦେଇ ମୋଟ ୧୬ ଥର ଟଙ୍କା ନେଇଛନ୍ତି । ବ୍ୟାଙ୍କ କର୍ତ୍ତୃପକ୍ଷ ସୁନା ବନ୍ଧକ ଅଡିଟ କରିବା ସମୟରେ ଜଣେ ଅନ୍ୟ ସୁନାରିଙ୍କୁ ଡାକି ସୁନା ପରଖିବା ପରେ ଘଟଣା ସାମ୍ନାକୁ ଆସିଛି । ଦୁଇ ଦୁଇ ଜଣ ଶାଖା ପରିଚାଳକ ହରିଚରଣଙ୍କ ଠାରୁ ସୁନା ବନ୍ଧକ ରଖି ଟଙ୍କା ଦେଇଥିବା ଜଣାପଡିଛି । ଏ ସମ୍ପର୍କରେ ଥାନାରେ ଅଭିଯୋଗ ପରେ ହରିଚରଣ ଏବଂ ଜୟନରାରାୟଣଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଥିବା ଆଇଆଇସି ନିରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଜଣେ ବାହାର ଜିଲ୍ଲାରୁ ଆସି ନକଲି ସୁନା ଦେଇ ଲକ୍ଷାଧିଙ୍କ ଟଙ୍କା ଠକି ନେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
