ପୋଲିସ ପୋଷାକ ପାଇଁ କପଡ଼ା ମିଳୁନି, ଖାକି ପୋଷାକର ରଙ୍ଗ ତାରତମ୍ୟକୁ ନେଇ ଅସନ୍ତୋଷ ବଢୁଛି

କଟକ : ଓଡ଼ିଶା ପୁଲିସ ବିଭାଗରେ ଖାକି ପୋଷାକ ପାଇଁ ମିଳୁଥିବା ଭତ୍ତାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ଯେଉଁଠି ଆଇପିଏସ୍ ଅଧିକାରୀଙ୍କୁ ଖାକି ପୋଷାକ ପାଇଁ ବାର୍ଷିକ ଭତ୍ତା ୨୦ ହଜାର ଟଙ୍କା ମିଳୁଛି, ସେଠି ଇନ୍‌ସ୍ପେକ୍ଟରଙ୍କୁ ୪ ହଜାର ୩୦୦ ଟଙ୍କା ମିଳୁଥିବା ବେଳେ ପୁଲିସ ଫୋର୍ସଙ୍କୁ ମିଳୁଛି ୫ ହଜାର ୯୦୦ ଟଙ୍କା । ଡିଏସ୍‌ପି ଏବଂ ଅତିରିକ୍ତ ପୁଲିସ ପାହ୍ୟାର ଅଧିକାରୀଙ୍କୁ ଏ ବାବଦରେ ମିଳୁଛି ମାତ୍ର ୧୦୦ ଟଙ୍କା । ପ୍ରତିବାଦସ୍ବରୂପ ସେମାନେ ସେହି ଟଙ୍କା ନିଅନ୍ତି ନାହିଁ । ପୁଲିସ ବିଭାଗରେ ପୋଷାକ ଭତ୍ତାକୁ ନେଇ ଏପ୍ରକାର ତାରତମ୍ୟକୁ ନେଇ ଏବେ ତୀବ୍ର ଅସନ୍ତୋଷ ସୃଷ୍ଟି ହେବାରେ ଲାଗିଛି । ଏବେ ଆଉ ଏକ ସମସ୍ୟା ଦେଖାଦେଇଛି କପଡ଼ାର ଉପଲବ୍ଧତାକୁ ନେଇ । ଭତ୍ତା ବାବଦରେ ଯେତିକି ଟଙ୍କା ମିଳୁଛି, ସେହି ଟଙ୍କାରେ ଖାକି ରଙ୍ଗର କପଡ଼ା ଖୋଲା ବଜାରରେ ମିଳୁନାହିଁ । ଯାହା ଫଳ‌ରେ, ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ପୋଷାକରେ କୌଣସି ପ୍ରକାର ମେଳ ଖାଉନାହିଁ । ରଙ୍ଗକୁ ନେଇ ଏକ ପ୍ରକାର ବିବାଦୀୟ ପରିସ୍ଥିତି ବଢ଼ିବାରେ ଲାଗିଛି ।

ରାଜ୍ୟ ପୁଲିସ ବିଭାଗରେ ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ଠାରୁ ଆରମ୍ଭ କରି ଆପିଏସ୍ ଅଧିକାରୀଙ୍କ ପର୍ଯ୍ୟନ୍ତ ପାଖାପାଖି ୭୦ ହଜାର ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ପୁଲିସ ମୁଖ୍ୟାଳୟ ପକ୍ଷରୁ ପୁଲିସ ସର୍କୁଲାଲ ଅର୍ଡର(ପିସିଓ) ଅନୁଯାୟୀ ଧାର୍ଯ୍ୟ ହୋଇଥିବା ମାଟିଆ ରଙ୍ଗର ଖାକି ପୋଷାକ ସମେତ ଜୋତା, ବେଲଟ୍, କ୍ରସ୍ ବେଲଟ, ଟୋପି, କମ୍ବଳ ଇତ୍ୟାଦି ପାଖାପାଖି ୧୨ଟି ଜିନିଷ ଯୋଗାଇବା ପାଇଁ ବାର୍ଷିକ ୨୨ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ ହେଉଥିଲା । ଏହି ବଜେଟରେ ଫୋର୍ସଙ୍କ ଠାରୁ ଇନ୍‌ସ୍ପେକ୍ଟର ପାହ୍ୟାର ଅଧିକାରୀ ଓ ଆଇପିଏସ୍‌ମାନେ ସାମିଲ୍ ଥିବାବେଳେ ଡିଏସପିରୁ ଅତିରିକ୍ତ ଏସପି ପର୍ଯ୍ୟନ୍ତ ଅଧିକାରୀ ବାଦ୍ ପଡ଼ିଆସିଛନ୍ତି । ପୁଲିସ ଫୋର୍ସରୁ ଇନ୍‌ସ୍ପେକ୍ଟର ପାହ୍ୟାର ଅଧିକାରୀଙ୍କୁ ପୂର୍ବରୁ ପୋଷାକ ବାବଦ କପଡ଼ା ସମେତ ସମସ୍ତ ସାମଗ୍ରୀ ଯୋଗାଇ ଦିଆଯାଉଥିଲା । କପଡ଼ା ନେଇ ପୁଲିସ ବାବୁମାନେ ନିଜ ମାପର ପୋଷାକ ପ୍ରସ୍ତୁତ କରୁଥିଲେ । ପରଚେଜ୍ କମିଟି ଏକାଠି ଏସବୁ କିଣି ଜିଲ୍ଲା ପୁଲିସକୁ ଆବଶ୍ୟକତା ଅନୁଯାୟୀ ପଠାଇ ଦେଉଥିଲା । କିନ୍ତୁ ୨୦୨୦ ଡିସେମ୍ବର ୧୭ ତାରିଖ ପରଠାରୁ ଏଥିପାଇଁ ଆବଶ୍ୟକ ପଡୁଥିବା ୨୨ କୋଟିର ବଜେଟ ବୃଦ୍ଧି ପାଇ ୪୦ କୋଟି ଟଙ୍କାରେ ପହଞ୍ଚିଛି । କିନ୍ତୁ ଏବେ ଆଉ କପଡା ଦିଆ ନଯାଇ ଇନ୍‌ସ୍ପେକ୍ଟର କିମ୍ବା ସମାନ ପାହ୍ୟାର ଅଧିକାରୀଙ୍କୁ ବାର୍ଷିକ ୪ ହଜାର ୩୦୦, ଏସ୍‌ଆଇ କିମ୍ବା ସମାନ ପାହ୍ୟାକୁ ୪ ହଜାର ୨୦୦, ଏଏସଆଇ କିମ୍ବା ସମାନ ପାହ୍ୟାକୁ ୪ ହଜାର ୨୦୦, ହାବିଲଦାର କିମ୍ବା ସମାନ ପାହ୍ୟାକୁ ୫ ହଜାର, କନଷ୍ଟେବଳ, ସିପାହି କିମ୍ବା ସମାନ ପାହ୍ୟାକୁ ୫ ହଜାର ଟଙ୍କା, ଓଡ଼ିଶା ସ୍ପେସାଲ ଷ୍ଟ୍ରାଇକିଂ ଫୋର୍ସ(ଓଏସଏଫ) ପାଇଁ ୫ ହଜାର ୯୦୦ ଟଙ୍କା ଯୋଗାଇ ଦିଆଯାଉଛି । ଓଏସଏଫରେ ଏପିଆର କନଷ୍ଟେବଳ, ଓଡ଼ିଶା ସ୍ପେଶାଲ ଆର୍ମଡ୍ ପୁଲିସ(ଓଏସଏପି), ଇଣ୍ଡିଆନ୍ ରିଜର୍ଭବାଟାଲିୟନ(ଆଇଆରବି), ସ୍ପେଶାଲ ସିକ୍ୟୁରିଟ ବାଟାଲିୟନ(ଏଏସବି), ଓଡ଼ିଶା ସୁଇପ୍ଟ ଆକ୍ସନ୍ ଫୋର୍ସ, ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ ପ୍ରମୁଖ ସାମିଲ ଅଛନ୍ତି ।

ଏହି ଟଙ୍କା ନେଇ ସେମାନେ ଖୋଲା ବଜାରରୁ କପଡ଼ା ଓ ଅନ୍ୟାନ୍ୟ ସାମଗ୍ରୀ କିଣିବାକୁ କୁହାଯାଇଛି । ଫୋର୍ସଙ୍କ ଭିନ୍ନ ଭିନ୍ନ ରଙ୍ଗର ପୋଷାକ ଥିବାବେଳେ କନଷ୍ଟେବଳରୁ ଇନସ୍ପେକ୍ଟର ପାହ୍ୟା ପର୍ଯ୍ୟନ୍ତ ଅଧିକାରୀ ମାଟିଆ ରଙ୍ଗର ଖାକି କପଡ଼ା ବଜାରରେ ପର୍ଯ୍ୟାପ୍ତ ମିଳୁନାହିଁ । ଯଦି ମିଳୁଛି, ତେବେ ସମସ୍ତଙ୍କ ପୋଷାକ ରଙ୍ଗ ସମାନ ରହୁନାହିଁ । ଜୋତା, ବେଲ୍‌ଟ, ଟୋପିର ଅବସ୍ଥା ବି ସେୟା । ରଙ୍ଗ ମେଳ ଖାଉନାହିଁ । ଆଇପିଏସ ଅଧିକାରୀଙ୍କ ଅବସ୍ଥା ବି ସେୟା । ଉପାନ୍ତ ଜିଲ୍ଲାରେ ତ ମାଟିଆ ରଙ୍ଗର ପୋଷାକ କିଣିବାକୁ ନାକେଦମ ହେଉଛନ୍ତି ପୁଲିସ ବାବୁ । ପୂର୍ବରୁ ପୁଲିସ ମୁଖ୍ୟାଳୟ ପକ୍ଷରୁ ଜିଲ୍ଲା ଏସପି ଅଫିସର ଷ୍ଟୋରକୁ ଆବଶ୍ୟକ ଅଧିକାରୀ ଓ କର୍ମଚାରୀ ସଂଖ୍ୟା ଅନୁଯାୟୀ କପଡ଼ା ଯୋଗାଇ ଦିଆଯାଉଥିଲା । ଷ୍ଟୋର ଦାୟିତ୍ବରେ ଥିବା ସର୍ଜେଣ୍ଟ ଥାନା ଓାରି ପୁଲିସ ଅଧିକାରୀଙ୍କୁ କପଡ଼ା ବଣ୍ଟନ କରୁଥିଲେ । ଡ୍ୟୁଟି ସମୟରେ ଡ୍ରେସ୍ ଚିରିଗଲେ କିମ୍ବା କୌଣସି କାରଣରୁ ନଷ୍ଟ ହୋଇଗଲେ ଦ୍ବିତୀୟ ଥର ସମ୍ପୃକ୍ତ କର୍ମଚାରୀଙ୍କ ପାଇଁ ପୋଷାକ ଇସ୍ୟୁ କରାଯିବାର ବ୍ୟବସ୍ଥା ଥିଲା । କିନ୍ତୁ ଏବେ ନୂଆ ନିୟମ ଅନୁଯାୟୀ, ଦ୍ବିତୀୟ ଥର ଟଙ୍କା ଇସ୍ୟୁ ହେବାର ବ୍ୟବସ୍ଥା ନାହିଁ । ଏଭଳି ଭତ୍ତା ଟଙ୍କାକୁ ନେଇ ଥିବା ଭିନ୍ନତା ତତ୍କାଳୀନ ପୁଲିସ ଡିଜି ଅଭୟ କରିଥିବାରୁ ଏବେ ବିଭାଗରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ଅବସରପ୍ରାପ୍ତ ପୁଲିସ ଡିଜି ବିପିନ ବିହାରୀ ମିଶ୍ର କହିଛନ୍ତି ଯେ ପୂର୍ବେ ପୁଲିସ ବିଭାଗରେ ଅଫିସର ଓକର୍ମଚାରୀଙ୍କୁ ଚାରିଟି ମାପ (ଏ,ବି,ସି,ଡି)ର ପୁଲିସ ପୋଷାକ ଦିଆଯାଉଥିଲା । କିନ୍ତୁ ଅନୁମାନ କରି ଦିଆଯାଉଥିବା ପୋଷାକ ଫିଟିଂ ନ ହେବାରୁ କପଡ଼ା ଯୋଗାଇ ଦେବାକୁ ୧୯୮୦ ମସିହା ବେଳକୁ କପଡ଼ା ଦିଆଗଲା । ଏବେ କପଡ଼ା ନଦେଇ ଟଙ୍କା ଦିଆଯାଉଛି । କିନ୍ତୁ ସବୁ କପଡ଼ାର ରଙ୍ଗ ସମାନ ରହୁନାହିଁ । ଖାକି ରଙ୍ଗ ପୋଷାକ କିଣିବା ପୂର୍ବରୁ ପୁଲିସ ବିଭାଗ ଏକ କପଡ଼ାର ନମୁନା ସେମାନଙ୍କୁ ଦେବାକଥା । ସେହି ଅନୁଯାୟୀ ସମସ୍ତେ କପଡ଼ା କିଣିବେ । ୟୁନିଫର୍ମ ସମାନ ରହିବାର ନିହାତି ଆବଶ୍ୟକ ଥିବା ଶ୍ରୀ ମିଶ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *