ଯୁଦ୍ଧ ପାଇଁ ଖାଇବା ତେଲ କଳାବଜାର : ୧୮୦ ଟଙ୍କା ଛୁଇଁଲା ସୂର୍ଯ୍ୟମୁଖୀ ତେଲ

ପୁରୀ : ହାଣ୍ଡିଶାଳ ଉପରେ ପଡ଼ିଛି ରୁଷିଆ-ୟୁକ୍ରେନ ଯୁଦ୍ଧର ପ୍ରଭାବ । ଚୁଲାରେ କଡ଼େଇ ବସେଇଲେ ପ୍ରଥମେ ଲୋଡ଼ା ପଡ଼ୁଥିବା ତେଲ ଦରରେ ଏମିତି ନିଆଁ ଲାଗିଛି ଯେ ଲୋକେ କଡ଼େଇ ବସେଇବା ପୂର୍ବରୁ ଚିନ୍ତାରେ ପଡ଼ୁଛନ୍ତି । ଖାଲି ସେତିକି ନୁହେଁ, ତେଲ ଝଟ୍‌କା ପରେ ଜଳଖିଆ ବ୍ୟବସାୟୀ ଜଳଖିଆ ପ୍ଲେଟ୍‌ର ଦର ୫ଟଙ୍କା ବଢ଼ାଇଦେଲେଣି । ରେସ୍ତୋରାଁରେ ଖାଇବା ଦରର ନୂଆ ତାଲିକା ବାହାରିଗଲାଣି । ଯେଉଁ ଖାଇବା ତେଲ ସପ୍ତାହେ ତଳେ ୧୨୦ ଟଙ୍କାରେ ମିଳୁଥିଲା, ତାହା ଏବେ ୧୫୦ରେ ପହଞ୍ଚିଲାଣି । ସୂର୍ଯ୍ୟମୁଖୀ ତେଲ ୧୪୦ ରୁ ୧୪୨ ଟଙ୍କା ମଧ୍ୟରେ ସୀମିତ ଥିଲେ ହେଁ, ଏହା ୧୮୦ ଛୁଇଁଲାଣି । କିଛି ସ୍ଥାନରେ ସୂର୍ଯ୍ୟମୁଖୀ ତେଲ ଲିଟର ପିଛା ୨ ଶହ ଟଙ୍କା ଦାବି କରାଯାଉଥିବା ଦେଖିବାକୁ ମିଳୁଛି । ଗୁରୁତ୍ବପୂର୍ଣ୍ଣ ହେଉଛି, ପୁରୀର କେତେକ ଅଞ୍ଚଳରେ ତେଲ ପ୍ୟାକେଟ୍‌ ଉପରେ ଲେଖାଯାଇଥିବା ଏମ୍‌ଆର୍‌ପିଠାରୁ ଅଧିକ ଦରରେ ତେଲ ବିକ୍ରି ହେଉଥିଲେ ମଧ୍ୟ ଯୋଗାଣ ବିଭାଗ ପକ୍ଷରୁ ଏ ନେଇ କୌଣସି ତତ୍ପରତା ପ୍ରକାଶ ପାଉନାହିଁ ।

ଯୁଦ୍ଧ ଆରମ୍ଭ ପରେ ତେଲ ଦର ବଢ଼ିବା ନେଇ ଚର୍ଚ୍ଚା ହେବା ପରେ ଯେଉଁମାନେ ଖାଇବା ତେଲ ଗୋଦାମରେ ମହଜୁଦ କରିଥିଲେ ସେମାନଙ୍କ ପାଇଁ ଯେମିତି ପୁଷ ମାସ ପାଲଟି ଯାଇଥିଲା । ଏଣେ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କୁ କଳାବଜାରୀ ଉପରେ ଦୃଷ୍ଟି ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ବି ଏଯାଏ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ ।

ଚାରିନଳାର ଜଣେ ବ୍ୟବସାୟୀ ନିଜ ନାମ ଗୋପନ ରଖି କହିଛନ୍ତି, ଖାଇବା ତେଲ ମହଜୁଦ ଅଛି, କିନ୍ତୁ ଲୋକେ ଯେଉଁମାନେ ଗୋଟିଏ ଦୁଇଟି ନେଉଥିଲେ ସେମାନେ ଏବେ ପେଟିଏ ଲେଖାଏଁ ନେଉଛନ୍ତି । ତେଣୁ ଚାହିଦା ଦେଖି ଖୁଚୁରା ବ୍ୟବସାୟୀ ଚଢ଼ା ଦରରେ ବିକ୍ରି କରୁଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏବେ ପୂର୍ବରୁ ଏମ୍‌ଆର୍‌ପି(ସର୍ବାଧିକ ଖୁଚୁରା ମୂଲ୍ୟ) ଠାରୁ କମ୍‌ ଦରରେ ଖାଇବା ତେଲ ବିକ୍ରିବଟା ହେଉଥିଲା । ବିଶେଷକରି ତେଲ ଲିଟର ପିଛା ଏମ୍‌ଆର୍‌ପି ଠାରୁ ୪୦ ରୁ ୫୦ ଟଙ୍କା କମ୍‌ରେ ବିକ୍ରି ହେଉଥିଲା । କିନ୍ତୁ ଏବେ ଏମ୍‌ଆର୍‌ପିଠାରୁ ଅଧିକ ଦରରେ ତେଲ ବିକ୍ରି ହେଉଛି । ଆଇନ ଅନୁଯାୟୀ ଏହା ଅପରାଧ ହୋଇଥିଲେ ବି ଧରପଗଡ଼ ହେଉନଥିବାରୁ ମନଇଚ୍ଛା ଦର ଅସୁଲ ହେଉଛି । ସାହି ଗଳିକନ୍ଦିରେ ଥିବା ତେଜରାତି ଦୋକାନମାନଙ୍କରେ ଯାହା ଦର ତୁଣ୍ଡକୁ ଆସୁଛି ସେଇ ଦରରେ ବିକ୍ରି ହେଉଛି ।

ଏନେଇ ଜିଲ୍ଲା କଂଗ୍ରେସ ଉପସଭାପତି ବୀରେନ୍ଦ୍ର ଭୂଷଣ ହୋତା କହିଛନ୍ତି, ସୂର୍ଯ୍ୟମୁଖୀ ତଥା ରିଫାଇନ୍‌ ତେଲ ୨ ଶହ ଟଙ୍କାରେ ମିଳୁନାହିଁ । ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି ଯେ ଖାଇବା ତେଲ ମହଜୁଦ ଅଛି । ଏହା ସତ୍ତ୍ବେ କଳାବଜାରୀକୁ ରୋକାଯାଉନାହିଁ । ସରକାର ଦର ତାଲିକା ମାରିବାର ନିୟମ ରହିଛି । ଚଢ଼ଉ କରି କଳାବଜାରୀ ରୋକିବା ପାଇଁ ନିର୍ଦ୍ଦେଶ ଅଛି । ଅନ୍ୟ ସମସ୍ତ ଜିଲ୍ଲାରେ ଯୋଗାଣ ବିଭାଗ ଚଢ଼ଉ କରୁଥିଲେ ହେଁ ପୁରୀରେ ଯୋଗାଣ ବିଭାଗ କାହିଁକି ନିରବ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ପୁରୀ ଜିଲ୍ଲା ପାଇକାରୀ ବ୍ୟବସାୟୀ ସଂଘର ସଭାପତି ମାଧବ ସୁବୁଦ୍ଧି କହିଛନ୍ତି, ପାଲେ ଋଷିଆ ଓ ୟୁକ୍ରେନରୁ ସନଫ୍ଲାୱାର ତେଲ ଆସ‌େ । ଭାରତରେ ଏହି ଖାଇବା ତେଲ ପହଞ୍ଚିବା ପାଇଁ ୨୫ ଦିନ ସମୟ ଲାଗେ । ଯେହେତୁ ଯୋଗାଣ ବନ୍ଦ ହୋଇଯାଇଛି, ତେଣୁ ବଜାରରେ ଏଭଳି ସ୍ଥିତି ଉପୁଜିଛି । ସ୍ଥିତି ଯାହା ଆଗକୁ ଆହୁରି ବିକଳ ସ୍ଥିତି ଉପୁଜିବ । ଯୁଦ୍ଧ ଥମିଯିବା ପରେ ବି ହଠାତ୍‌ ଯୋଗାଣ ସମ୍ଭବ ହେବ ନାହିଁ । ତେଣୁ ଏ ସ୍ଥିତି କେତେଦିନ ବଳବତ୍ତର ରହିବ ତାହା କେବଳ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି । ସହକାରୀ ଯୋଗାଣ ଅଧିକାରୀ ଜାନକୀ ଭୂଷଣ ହାୱଡ଼ାସିଂହ କହିଛନ୍ତି, ଖାଇବା ତେଲ ଚଢ଼ା ଦରରେ ବିକ୍ରି ହେଉଥିବା ନେଇ ସୂଚନା ଆସିଥିବାରୁ ‌ଏନେଇ ଆସନ୍ତାକାଲିଠାରୁ ଚଢ଼ଉ ଜୋରଦାର କରାଯିବ ସେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *