ଭୁବନେଶ୍ବର : ୨୦୧୭ ମସିହାରେ ରାଜ୍ୟରେ ଆରମ୍ଭ ହୋଇଥିଲା ସାର୍ବଜୀନନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ‘ସୁନେତ୍ର’ । ଏଥିପାଇଁ ୫ ବର୍ଷରେ ୬ ଶହ କୋଟି ଖର୍ଚ କରିବା ସହିତ ୨୦୨୨ ବେଳକୁ ରାଜ୍ୟର ୨୫ ପ୍ରତିଶତ ଅନ୍ଧତ୍ବ ଦୂର କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମକୁ ୫ ବର୍ଷ ପୂରୁଛି । ମାତ୍ର ଉଦ୍ଘାଟନ ସମୟରେ କାର୍ଯ୍ୟକ୍ରମକୁ ସରକାରୀ ସ୍ତରରେ ନେଇ ଯେଉଁଭଳି ଭାବେ ପ୍ରଚାର ପ୍ରସାର କରାଯାଇଥିଲା ତାହା ସଂପର୍କରେ ଆଉ ଚର୍ଚ୍ଚା କରାଯାଉନାହିଁ । ଯୋଜନା ଏକ ପ୍ରକାର ପ୍ରହସନରେ ପରିଣତ ହୋଇଛି । ଆବଶ୍ୟକ ଚଷମା, ଇଞ୍ଜେକସନ୍ ହସ୍ପିଟାଲରେ ଉପଲବ୍ଧ ହେଉ ନାହିଁ ।

ଯୋଜନାର ବାସ୍ତବତା ହେଉଛି ପ୍ରତିବର୍ଷ ରାଜ୍ୟ ସରକାର ଯେତିକି ସଂଖ୍ୟକ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରୁଛନ୍ତି, ତା’ଠାରୁ କମ୍ ସଂଖ୍ୟକ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହୋଇପାରୁଛି । ଚକ୍ଷୁ ପରୀକ୍ଷା କରିବାକୁ ଆସୁଥିବା ରୋଗୀଙ୍କ ପାଇଁ ‘ଡ୍ରପ୍’ ଆପ୍ ପ୍ରସ୍ତୁତି ପାଇଁ ମଧ୍ୟ ଉଦ୍ୟମ ହୋଇଥିଲା । ଏହି ଆପ୍ ଜରିଆରେ ଜଣେ ପଞ୍ଜୀକରଣ କଲେ ରୋଗୀଙ୍କ ସମସ୍ତ ତଥ୍ୟ ରହିବା ସହିତ ରାଜ୍ୟର ଯେକୌଣସି ସ୍ଥାନରେ ନିଜର ଚକ୍ଷୁ ପରୀକ୍ଷା କରିପାରିବେ । ହେଲେ ଆପ୍ କାର୍ଯ୍ୟ କରୁଛି କି ନାହିଁ ତାହା ଜଣାନାହିଁ । ସେହିପରି ହସ୍ପିଟାଲକୁ ଚକ୍ଷୁ ପରୀକ୍ଷା ପାଇଁ ଆସୁଥିବା ରୋଗୀଙ୍କୁ ଚଷମା ମିଳୁନାହିଁ । କେଉଁ କେଉଁ ମାସରେ କିଛିଟା ଚଷମା ଆସୁଛି ତ ଆଉ କେଉଁ ମାସରେ ଜମାରୁ ନାହିଁ । ଏ ସମସ୍ୟା କେବଳ ଭୁବନେଶ୍ବର ନୁହେଁ, ରାଜ୍ୟବ୍ୟାପୀ ଏହି ସମସ୍ୟା ଦେଖିବାକୁ ମିଳୁଛି । ରାଜଧାନୀର ପୋଖରୀପୁଟସ୍ଥିତ ୟୁପିଏଚ୍ସିରେ ଥିବା ଭିଜନ୍ ସେଣ୍ଟରକୁ ଉଦାହରଣ ଭାବେ ନିଆଯାଉ । ଏଠାରେ କେବଳ ରୋଗୀଙ୍କ ଚକ୍ଷୁ ପରୀକ୍ଷା ହେଉଥିବା ବେଳେ କିଛି ବଡ଼ ସମସ୍ୟା ହେଲେ ରୋଗୀଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ରେଫର କରାଯାଉଛି । ସେଠାରେ ରୋଗୀଙ୍କୁ ଚଷମା ମଧ୍ୟ ଦିଆଯାଉଛି । ସେହିପରି କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଚକ୍ଷୁ ରୋଗୀଙ୍କ ପାଇଁ ଆବଶ୍ୟକ ରାନିବିଜୁମା, ଟୋସିଲିଜୁମା ଭଳି ଇଞ୍ଜେକସନ୍ ଉପଲବ୍ଧ ହେଉନାହିଁ । ଯୋଜନା ଆରମ୍ଭର କିଛି ମାସ ପର୍ଯ୍ୟନ୍ତ ଏସବୁ ଇଞ୍ଜେକସନ୍ ହସ୍ପିଟାଲରେ ଉପଲବ୍ଧ ହେଉଥିଲା । ହସ୍ପିଟାଲ ଅଧିକାରୀ ଏଥିପାଇଁ ଟେଣ୍ଡର କରାଯାଇଥିବା କହୁଛନ୍ତି । ମାତ୍ର କେବେ ଆସିବ ତାହା ସ୍ପଷ୍ଟ କରିପାରୁ ନାହାନ୍ତି । ରାଜ୍ୟବ୍ୟାପୀ ‘ସୁନେତ୍ର’ ଯୋଜନାରେ ଅବ୍ୟବସ୍ଥା ସାମ୍ନାକୁ ଆସୁଥିବା ବେଳେ ଏହା ପଛରେ କୋଭିଡର ବାହାନା ଦର୍ଶାଯାଉଛି ।
କେବଳ ଯୋଜନାର କ୍ରିୟାନ୍ବୟନ ନୁହେଁ, ‘ସୁନେତ୍ରା’ଯୋଜନାରେ ଚଷମା କିଣାକୁ ନେଇ ବିବାଦ ଉଠିଥିଲା । ଗୋଟିଏ କମ୍ପାନିରୁ ଚଷମା କିଣିବା ଲାଗି ରାଜ୍ୟ ଔଷଧ ନିଗମ ରାଜ୍ୟ ରାଜକୋଷରୁ ୫୧ ଲକ୍ଷ ଟଙ୍କା ଅତିରିକ୍ତ ଖର୍ଚ କରିଥିବା ଅଡିଟ୍ରେ ଧରାପଡ଼ିଥିଲା । ୨୦୧୮ ମସିହାରେ ଚଷମା କିଣା ପାଇଁ ନିଗମ ସର୍ବନିମ୍ନ ବିଡ୍ ୨୨୪ ଟଙ୍କା ବିଡ୍ ହୋଇଥିଲା ବେଳେ ପରବର୍ତୀ ସମୟରେ ୨୭୫ ଟଙ୍କାରେ ଚଷମା କିଣା ଯାଇଥିଲା । ଯାହାକି ପୂର୍ବ ତୁଳନାରେ ୨୩ ପ୍ରତିଶତ ଅଧିକ ରହିଥିବା ଅଡିଟ୍ରେ ସ୍ପଷ୍ଟ ହୋଇଥିଲା । ଏଭଳି ଅନୁକମ୍ପା ବିରୋଧରେ ସ୍ବାସ୍ଥ୍ୟ ବିଭାଗ ଯେଉଁ ଉତ୍ତର ରଖିଥିଲା ତାହାକୁ ସିଏଜି ଗ୍ରହଣ କରିନଥିଲେ । ଯାହାଫଳରେ ଚଷମା କିଣାରେ ବ୍ୟାପକ ହେରଫେର ହୋଇଥିବା ନଜରକୁ ଆସିଥିଲା । ‘ସୁନେତ୍ର’ ଯୋଜନାର ନୋଡାଲ ଅଧିକାରୀ ଜୀବନ ଷଡ଼ଙ୍ଗୀଙ୍କୁ ଯୋଗାଯୋଗ କରାଯାଇଥିଲା । ହେଲେ ସେ ଏବେ ରାୟଗଡ଼ାରେ ଥିବାରୁ କିଛି କହିପାରିବେ ନାହିଁ ବୋଲି କହିଥିଲେ ।
