ବୌଦ୍ଧ : ବୌଦ୍ଧ ବ୍ଲକ ଅନ୍ତର୍ଗତ ମହାନଦୀର ଜଗତି ଜଗନ୍ନାଥପୁର ବାଲିକୁଦରୁ ଏକ କୁମ୍ଭୀରର ମୃତଦେହ ଠାବ ହୋଇଛି । ଖବର ପାଇ ବୌଦ୍ଧ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ କୁମ୍ଭୀରଟିକୁ ଉଦ୍ଧାର କରି ବାମଣ୍ଡା ବନ ବିଭଗ ନର୍ସରୀ ଠାରେ ରଖିଥିଲା । ନନ୍ଦନକାନନର ଏକ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ସେମାନଙ୍କ ଉପସ୍ଥିତିରେ ପ୍ରାଣୀ ଚିକିତ୍ସକ ଡା. ପ୍ରିୟବ୍ରତ ବେହେରା କୁମ୍ଭୀରର ଶବ ବ୍ୟବଛେଦ କରିଛନ୍ତି । ମୃତ କୁମ୍ଭୀରର ଲମ୍ବ ୭.୫ ଫୁଟ ହୋଇଥିବାବେଳେ ଚଉଡା ପ୍ରାୟ ୩୦ ଇଞ୍ଚ ହେବ ବୋଲି ସୂଚନା ମିଳିଛି ।
ତେବେ ମୃତ କୁମ୍ଭୀର ଦେହରେ କୌଣସି କ୍ଷତ ନଥିବା ବେଳେ, ଶରୀର ଭିତରେ ରକ୍ତଶ୍ରାବ ଯୋଗୁଁ ତାହାର ମୃତ୍ୟୁ ହୋଇଥିବା ଜଣାପଡିଛି । କୁମ୍ଭୀରଟିକୁ ପ୍ରାୟ ୭ ବର୍ଷ ହେବ । ମୃତ କୁମ୍ଭୀର ଲାଞ୍ଜରେ ଏକ ଟ୍ୟାଗ ଲାଗିଛି ଓ ସେଥିରେ ଏମ୍କେଏମ୍ ୧୪୯ ଲେଖାହୋଇଛି । ମୃତ କୁମ୍ଭୀରଟି ଟିକରପଡା ଠାରୁ ଭାସି ଆସିଥିବା ଅନୁମାନ କରାଯାଉଛି ।
