ଦଶପଲ୍ଲା : ପ୍ରଶାସନିକ ଅବ୍ୟବସ୍ଥା ହେଉ କି ରାଜନେତାଙ୍କ ବୈମାତୃକ ମନୋଭାବ ପାଇଁ ଗାଁକୁ ନିର୍ମାଣ ହୋଇପାରୁନି ନିତିଦିନିଆ ରାସ୍ତା । ଶିକ୍ଷା, ସ୍ବାସ୍ଥ୍ୟ ଏବଂ ପାନୀୟଜଳ କଥା ନ କହିବା ଭଲ । ବଣପାହାଡ଼ ଘେରା ଉପାନ୍ତ କଳସାଖମଣ ପଞ୍ଚାୟତର ଲିଙ୍ଗିରିସାହି, ଶିରିଶାବାଡି, ତଗାପାଜୁ, ମିନାଗାଡ଼ୁ, ବିଡାପାଜୁ ଏବଂ ତଇଳାସାହି ଭଳି ୬ଟି ଆଦିବାସୀ ଗ୍ରାମର ଗ୍ରାମବାସୀ ଏସବୁ ମୈାଳିକ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି । ଏସବୁ ଗ୍ରାମରେ ପାଖାପାଖି ୬ ଶହରୁ ଊର୍ଦ୍ଧ୍ବ ଜନସାଧାରଣ ବସବାସ କରିଥାନ୍ତି । ବର୍ଷ ବର୍ଷ ଧରି ଗ୍ରାମବାସୀ ମୈାଳିକ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଥିବା ବେଳେ ନା କୈାଣସି ପ୍ରଶାସନିକ ଅଧିକାରୀ ନା କୈାଣସି ରାଜନେତାଙ୍କ ଦେଖା ମିଳୁଛି । ୫ ବର୍ଷରେ ଥରେ ନିର୍ବାଚନ ପାଖେଇ ଆସିଲେ ଗାଁରେ ରାଜନେତାଙ୍କ ଭିଡ଼ ଦେଖିବାକୁ ମିଳିଥାଏ । କେବଳ ଗଦାଗଦା ପ୍ରତିଶ୍ରୁତି ମିଳୁଥିବା ବେଳେ ନିର୍ବାଚନ ପରେ ଅଲୋଡ଼ା ହୋଇପଡ଼ନ୍ତି ଏସବୁ ଗ୍ରାମବାସୀ ।

ଜୀବିକା କହିଲେ ଗାଁର ଲୋକମାନେ ଚାଷବାସ କରିଥାନ୍ତି । ଗାଁର ପିଲାମାନେ କାମଧନ୍ଦା ଅଭାବରୁ ଦାଦନ ଖଟିବାକୁ ବାହାରକୁ ଯାଇଥାନ୍ତି । ବ୍ଲକ୍ କାର୍ଯ୍ୟାଳୟଠାରୁ ପଞ୍ଚାୟତର ଦୂରତା ପ୍ରାୟ ୫୦ କିମି ଦୂର । ସରକାରୀ ଯୋଜନାରୁ ଉପେକ୍ଷିତ ହେଉଥିବା ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗାଁଠାରୁ ପଞ୍ଚାୟତର ଦୂରତା ପ୍ରାୟ ୭ କିମି । ବର୍ଷର ୮ ମାସ ଯେନେତେନ ଚଳି ଯାଉଥିବା ବେଳେ ବର୍ଷା ୪ ମାସରେ ଯାତାୟାତ ପାଇଁ ବାଧକ ସାଜୁଛି ଠୁକେଇ ନାଳ । ଗାଁକୁ ନିତିଦିନିଆ ରାସ୍ତାଖଣ୍ଡେ ନଥିବା ହେତୁ ବଣପାହାଡ଼ ଡେଇଁ ଭତ୍ତା ଓ ରାସନ ପାଇଁ ପଞ୍ଚାୟତକୁ ଯିବାକୁ ପଡୁଛି । ଛାତ୍ରଛାତ୍ରୀଙ୍କ ଶିକ୍ଷା କଥା ନ କହିଲେ ଭଲ । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ହେଉକି କୁନି କୁନି ଶିଶୁଙ୍କ ପାଇଁ ଏକ ମିନି ଅଙ୍ଗନବାଡ଼ି ସହ ଏକ ବିଦ୍ୟାଳୟ ନିର୍ମାଣ ହୋଇଥିବା ବେଳେ ଦୀର୍ଘ ଦିନ ହେଲା ଏହା ଅଧାଗଢ଼ା ହୋଇ ପଡ଼ିରହିଛି । ମଞ୍ଜୁର ହୋଇଥିବା ଟଙ୍କାକୁ ଠିକାଦାର ଓ ଯନ୍ତ୍ରୀ ମିଶି ଚଳୁ କରି ଦେଇଥିବା ଅଭିଯୋଗ ହେଉଛି । ଫଳରେ ଛାତ୍ରଛାତ୍ରୀମାନେ ଖୋଲା ଆକାଶ ତଳେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି । ବିଦ୍ୟାଳୟକୁ ଶିକ୍ଷକମାନେ ଠିକ୍ ସମୟରେ ଆସନ୍ତି ନାହିଁ । ଫଳରେ ଶିକ୍ଷକମାନେ ବିଭିନ୍ନ ସମୟରେ ପାଳି କରି ପାଠ ପଢ଼ାଉଥିବା ବେଳେ ଏହାର ତଦାରଖ କରାଯାଉନାହିଁ ।
ସେହିଭଳି ଗାଁରେ ପାନୀୟ ଜଳର କୌଣସି ବି ବ୍ୟବସ୍ଥା ନାହିଁ । କେଉଁ ଗ୍ରାମରେ ଗୋଟିଏ ନଳକୂପ ଅଛି ତ ପୁଣି କେଉଁଠି ଗ୍ରାମବାସୀ ପଥର କୂଅକୁ ଭରସା କରିଥାନ୍ତି । ଗ୍ରୀଷ୍ମ ଦିନ ଆସିଲେ କୂଅଗୁଡ଼ିକ ଶୁଖିଲା ପଡ଼ୁଥିବାରୁ ବିଭିନ୍ନ ନାଳ ଓ ଚୂଆରୁ ପାଣି ପିଇବାକୁ ପଡୁଛି । ଅଂଚଳରେ ସ୍ବାସ୍ଥ୍ୟ ବ୍ୟବସ୍ଥା ସଂଗୀନ ହୋଇ ପଡିଛି । ସ୍ବାସ୍ଥ୍ୟସେବାର କୈାଣସି ସୁବିଧା ନଥିବା ହେତୁ କିଏ ଝଡ଼ା ଫୁଙ୍କା ତ ପୁଣି କିଏ ଚେରମୂଳି ଉପରେ ଭରସା କରିଥାନ୍ତି । ଏପରିକି ଉକ୍ତ ଅଂଚଳରେ କିଛି କ୍ବାକ୍ ପହଞ୍ଚି ନିମ୍ନମାନର ଔଷଧ ଦେଇ ଶୋଷଣ କରିଥାନ୍ତି । ଫଳରେ ବିଭିନ୍ନ ସମୟରେ ରୋଗୀ ମୃତ୍ୟୁମୁଖରେ ପଡୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏପଟେ ସରକାର ପ୍ରତି ଗ୍ରାମକୁ ବାହ୍ୟ ମଳମୁକ୍ତ ଗ୍ରାମ ଭାବେ ଘୋଷଣା କରିଥିବା ବେଳେ ଗାଁର କାହା ବାଡ଼ିରେ ଗୋଟିଏ ବି ପାଇଖାନା ନାହିଁ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି ।
