ହାରିଯିବାରୁ ରାସ୍ତାରୋକ କରାଇ ଅରାଜକତା ସୃଷ୍ଟି

ପାରଳାଖେମୁଣ୍ତି : ଓଡ଼ିଶା ପଞ୍ଚାୟତ ନିର୍ବାଚନରେ ବି ଆନ୍ଧ୍ର ଦଖଲ ଦେଖିବାକୁ ମିଳିଛି । ଓଡ଼ିଶା ସୀମାନ୍ତ ଗଜପତି ଜିଲ୍ଲାର ଗଙ୍ଗବାଡ଼ ପଞ୍ଚାୟତରେ ଆନ୍ଧ୍ର ନେତାଙ୍କ ସମର୍ଥିତ ପ୍ରାର୍ଥୀ ହାରିଯିବାରୁ ଦୁଇ ଦିନ ହେଲା ହିଂସା, ରାସ୍ତାରୋକ କରାଇ ଅରାଜକତା ସୃଷ୍ଟି କରି ଚାଲିଛନ୍ତି । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ର ଗାରାବନ୍ଧ ଥାନା ଅଧୀନ ଗଙ୍ଗାବାଡ ପଞ୍ଚାୟତରେ ଗତକାଲି ଠାରୁ ନିର୍ବାଚନ ପରବର୍ତ୍ତୀ ଆକ୍ରୋଶ, ହିଂସାକୁ ଉସ୍‌କାଇବା ଭଳି ଘଟଣା ଯୋଗୁଁ ଉତ୍ତେଜନା ଲାଗି ରହିଛି । ନିର୍ବାଚନ ହାରିଯିବାରୁ ରାଗରେ ପରାଜିତ ସରପଞ୍ଚ ପ୍ରାର୍ଥୀ ବାରିକ ଶବର ଓ ତାଙ୍କ ସମର୍ଥକ ଆନ୍ଧ୍ର ନେତାଙ୍କ ଇସାରାରେ ପଞ୍ଚାୟତର ୫ଟି ଗାଁକୁ ସଂଯୋଗ ରାସ୍ତାକୁ ଖୋଳିଦେବା ସହ ପଥର ପକାଇ ଅବରୋଧ କରି ରଖିଛନ୍ତି । ଯାହାକୁ ନେଇ ଦୁଇଦିନ ହେ‌ଲା ଅଞ୍ଚଳ‌ରେ ଚାପା ଉତ୍ତେଜନା ଲାଗି ରହିଛି । ତେବେ ଏହାକୁ ନେଇ ଗଜପତି ଜିଲ୍ଲା ପ୍ରଶାସନ ଆଡୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ଜଣାପଡ଼ିଛି । ଏନେଇ ଗତକାଲି ଗଙ୍ଗାବାଡ଼ ନବନିର୍ବାଚିତ ସରପଞ୍ଚ ହରିବନ୍ଧୁ କାର୍ଯୀ ଥାନାରେ ଏତଲା ଦେଇଛନ୍ତି । ଏତଲାରେ ପରାଜିତ ପ୍ରାର୍ଥୀଙ୍କ ସମର୍ଥକଙ୍କ ଦ୍ବାରା ରାସ୍ତା ଖୋଳାକୁ ବିରୋଧ କରିବାରୁ ତାଙ୍କୁ ଧମକ ଚମକ ମଧ୍ୟ ଦିଆଯାଇଥିବା ଅଭିଯୋଗ କରିଛନ୍ତି । ଗାରାବନ୍ଧ ଥାନା ଅଧିକାରୀ ସର୍ବେଶ୍ବର ସାମନ୍ତରାୟଙ୍କ ସୂଚନା ଅନୁସାରେ ଏତଲା ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । କେସ୍‌ ନଂ -୧୮/୨୨ରେ ମାମଲା ରୁଜୁ କରିବା ସହ ଆଇପିସିର ଦଫା ୨୮୩, ୫୦୬ ଓ ୩୪ ଅନୁସାରେ ତଦନ୍ତ ଜାରି ରଖିଥିବା କହିଛନ୍ତି ।

ଗତ ୨୮ ତାରିଖ ଦିନ ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା ହେବାପରେ ଗଙ୍ଗାବାଡ଼ ପଞ୍ଚାୟତର ସରପଞ୍ଚ ଭାବେ ଜଣାଶୁଣା ଆଦିବାସୀ ନେତା ତଥା ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଯୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବାରିକ ଶବରଙ୍କୁ ପରାସ୍ତ କରିଥିଲେ । ବାରିକ ଆନ୍ଧ୍ର ନେତାଙ୍କ ସମର୍ଥିତ ପ୍ରାର୍ଥୀ ଥିଲେ । ହାରିବା ପରେ ରାଜନୈତିକ ଆକ୍ରୋଶ ରଖି ହି˚ସାତ୍ମକ ପଦକ୍ଷେପ ନେଇଛନ୍ତି ବାରିକ ଶବର ଏବ˚ ତାଙ୍କ ସମର୍ଥକ । ଆନ୍ଧ୍ର ନେତାଙ୍କ ଇଙ୍ଗିତରେ ପଞ୍ଚାୟତର କଣ୍ଟାକୁମ୍ଭ, ବଡ଼ପାଚେଡିଆ, ତଳସାହି, ଲୋବା, ଶଗଡ଼ିଆ ଗ୍ରାମର ସ˚ଯୋଗ ରାସ୍ତାରେ ପଥର ପକାଇ, ରାସ୍ତାକୁ ଖୋଳି ଅବରୋଧ କରିଛନ୍ତି । ଏ ନେଇ ବିଜେତା ସରପଞ୍ଚ ପ୍ରତିବାଦ କରିବାରୁ ତାଙ୍କୁ ଆନ୍ଧ୍ର ନେତାଙ୍କ ଗୁଣ୍ଡା ଧମକଚମକ ଦେଇଥିବା ଅଭିଯୋଗ ହୋଇଛି । ଓଡ଼ିଶା ଏବ˚ ଆନ୍ଧ୍ରପ୍ରଦେଶ ସୀମାନ୍ତରେ ରହିଥିବା ଗଙ୍ଗାବାଡ ପଞ୍ଚାୟତ ପୂର୍ବରୁ ସୀମା ବିବାଦ ନେଇରେ ଚର୍ଚ୍ଚାରେ ରହି ଆସିଥିବା ବେଳେ, ଏବେ ପରାଜିତ ପ୍ରାର୍ଥୀଙ୍କ ଏଭଳି ଆକ୍ରୋଶ ପୁଣି ଚର୍ଚ୍ଚାର ବିଷୟ ହୋଇଛି ।

Leave a Reply

Your email address will not be published. Required fields are marked *