କଂଟାବାଞ୍ଜି : ନକଲି ସାମଗ୍ରୀ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହୁଥିବା ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରୁ ବୁଧବାର ପୁଣି ନକଲି ସାମଗ୍ରୀ ଠାବ ହୋଇଛି । ଛତିଗଡ଼ର ଜଣେ ବ୍ୟକ୍ତି ନିଜକୁ କମ୍ପାନିର ଏଜେଣ୍ଟ ପରିଚୟ ଦେଇ ଏଭଳି ନକଲି ସାମଗ୍ରୀ ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ ବୁଧବାର ଛତିଗଡ଼ର ଉକ୍ତ ଯୁବକ କଂଟାବାଞ୍ଜିର ବିଭିନ୍ନ ଦୋକାନକୁ ଯାଇ ବିଭିନ୍ନ ସାମଗ୍ରୀର ନମୁନା ଦେଖାଇ ବିକ୍ରି କରିବାକୁ ଚେଷ୍ଟା କରୁଥିଲେ । ନମୁନାରେ ସେ ଡେଟଲ ସାବୁନ, ଏଭରେଷ୍ଟ କମ୍ପାନିର ମସଲାଗୁଣ୍ଡ, ଫେବିକ୍ୱିକ ଓ ଇନୋ ଦେଖାଉଥିଲେ । ଅନେକ ବ୍ୟବସାୟୀ ସହଜରେ ଏହା ନକଲି ବୋଲି ଜାଣିପାରି ନଥିଲେ । ଜଣେ ବ୍ୟବସାୟୀ ଏହାକୁ ନକଲି ବୋଲି ଠାବ କରି କଂଟାବାଞ୍ଜି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ତାଙ୍କଠାରୁ ୫୪ଟି ଇନୋ, ୭୮ଟି ଫେବିକ୍ୱିକ ପାଉଚ୍, ୨୭ଟି ଡେଟଲ ସାବୁନ, ୬୦ଟି ଏଭରେଷ୍ଟ ଚିକେନ ମସଲା ପାଉଚ ଜବତ କରିଥିଲା । ପରେ ସଂପୃକ୍ତ କମ୍ପାନିଗୁଡ଼ିକ ସହ କଥା ହୋଇ ଏହା ନକଲି ନାଁ ଅସଲି ତାର ଖୋଜ ପୁଲିସ ଆରମ୍ଭ କରିଛି । ଅନ୍ୟପଟେ ପୁଲିସ ଏହାର ଯାଞ୍ଚ ପାଇଁ ବଲାଙ୍ଗୀର ଖାଦ୍ୟ ସୁରକ୍ଷା ବିଭାଗ ସହ ଯୋଗାଯୋଗ କରିଥିବା ସୂଚନା ମିଳିଛି ।
