ଭୁବନେଶ୍ୱର : ଲକ୍ଷ୍ୟ ପୂରଣରେ ବିଫଳ ହେଲେ ବିଷାଦଗ୍ରସ୍ତ ମଣିଷ ଆତ୍ମହତ୍ୟାର ବାଟ ବାଛିନେଉଛି । ରାଜଧାନୀରେ ଆତ୍ମହତ୍ୟା ସଂଖ୍ୟାରେ ପ୍ରବଣତା ବଢୁଥିବା ଲକ୍ଷ୍ୟ କରାଯାଉଛି । ଅଧିକାଂଶ କ୍ଷେତ୍ରରେ ପାରିବାରିକ କଳହ, ପାଠପଢା ଚାପ ଓ ଚାକିରିରେ ବିଫଳତା ଏବଂ ପ୍ରେମଜନିତ କାରଣରୁ ଆତ୍ମହତ୍ୟା ହାର ବଢୁଛି । ବିଶେଷ କରି ଯୁବ ବର୍ଗଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଅଧିକ ଦେଖିବାକୁ ମିଳୁଛି । ଚାକିରି, ପ୍ରେମରେ ବିଫଳତା ଯୋଗୁଁ ଅନେକ ଆତ୍ମହତ୍ୟା କରୁଥିଲା ବେଳେ, ଆଉ କିଛି ନିଶାସେବନ କାରଣରୁ ଆତ୍ମହତ୍ୟା କରୁଛନ୍ତି । ମହିଳାଙ୍କ ତୁଳନାରେ ପୁରୁଷଙ୍କ ଆତ୍ମହତ୍ୟା ହାର ଅଧିକ ।
ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଅଞ୍ଚଳରେ ୨୦୨୧ ନଭେମ୍ବର ଶେଷସୁଦ୍ଧା ୧୫୫୪ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାବେଳେ, ଏଥିରେ ପୁରୁଷଙ୍କ ସଂଖ୍ୟା ଅଧିକ । ବିଷପାନ କରି ୭୭ ଜଣ ପୁରୁଷ ଓ ୪୨ ମହିଳାଙ୍କ ମୃତ୍ୟୁ ଘଟିଥିଲା ବେଳେ, ବେକରେ ରଶି ଲଗାଇ ୯୪ ପୁରୁଷ ଓ ୪୧ ଜଣ ମହିଳା ଆତ୍ମହତ୍ୟା କରିଛନ୍ତି । ଏହି ତଥ୍ୟରୁ ଆହୁରି ଜଣାପଡିଛି ଯେ ଯୁବ ବର୍ଗଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଅଧିକ । କୋଭିଡ ସମୟରେ ଲୋକଙ୍କ ମଧ୍ୟରେ ମାନସିକ ଅସ୍ଥିରତା ଅଧିକ ଦେଖିବାକୁ ମିଳିଥିଲା । ଅନେକ ମାନସିକ ଅବସାଦଗ୍ରସ୍ତ ହୋଇଥିଲେ । ଏହି ସମସ୍ୟାର ସମାଧାନ ଲାଗି ସେତେବେଳେ ମାନସିକ ଅବସାଦଗ୍ରସ୍ତ ଲୋକଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ବା କାଉନସେଲିଂର ବ୍ୟବସ୍ଥା କରାଯାଇଥିଲା । ତା ସତ୍ତ୍ୱେ ମଧ୍ୟ ଆତ୍ମହତ୍ୟା ମାମଲା କମି ନ ଥିଲା । ଚାକିରି ହରାଇବା ସହ ଆର୍ଥିକ ସଙ୍କଟ ପ୍ରମୁଖ କାରଣ ପାଲଟିଥିଲା । ଏବେ ପ୍ରେମରେ ବିଫଳତା ପାଇଁ ଅନେକ ଆତ୍ମହତ୍ୟା ବାଟ ବାଛି ନେଉଛନ୍ତି । ବିଗତ କିଛିମାସର ଘଟଣାକୁ ଦେଖିଲେ ଅଧିକାଂଶ ଆତ୍ମହତ୍ୟା ମାମଲା ପ୍ରେମରେ ବିଫଳ କିମ୍ବା ପ୍ରତାରଣା ଯୋଗୁ ହୋଇଛି । ଏ ସଂକ୍ରାନ୍ତରେ ମାନସିକ ରୋଗ ଚିକିତ୍ସକ ଡ. ସମ୍ରାଟ କର କୁହନ୍ତି, ପିଲାମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ କାହା ସହିତ ଆଲୋଚନା କରିପାରୁନାହାନ୍ତି । ପୂର୍ବରୁ ଏକାନ୍ନବର୍ତ୍ତୀ ପରିବାର ଥିଲା । ଘରେ ବାପା ମା ନହେଲେ କକା, ଖୁଡି, ଜେଜେ ବାପା, ଭାଇ ଭଉଣୀଙ୍କ ସହିତ ନିଜ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମାଧାନର ସୂତ୍ର ବାହାର କରୁଥିଲେ । କହିବାକୁ ଗଲେ ସେମାନେ ଚାପମୁକ୍ତ ଥିଲେ । ମାତ୍ର ବର୍ତ୍ତମାନ ନ୍ୟୁକ୍ଲିୟର ଫ୍ୟାମିଲି (କେବଳ ବାପା, ମା ଓ ଛୁଆ) ପରମ୍ପରା ପିଲାଙ୍କୁ ଏକୁଟିଆ କରି ଦେଉଛି ।
କୌଣସି ସମସ୍ୟାର ସମ୍ମୁଖୀନ ହେଲେ କାହା ସହିତ ଆଲୋଚନା କରି ପାରୁନାହାନ୍ତି । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବାପା ମା ଅନ୍ୟ ପିଲା ସହିତ ନିଜ ପିଲାକୁ ସମକକ୍ଷ କରିବାକୁ ଚାହୁଛନ୍ତି । ସେମାନଙ୍କ ଏହି ଆଶା ପିଲା ଉପରେ ମାନସିକ ଚାପ ଅଧିକ ପକାଉଛି । ନିଜ ପିଲା କି ପ୍ରକାର ପାଠ ପଢିବ, କ’ଣ କରିବ ସେ ନେଇ ବାପା ମା ସ୍ଥିର କରୁଛନ୍ତି, ମାତ୍ର ନିଜ ପିଲାର ଇଚ୍ଛାକୁ ଗୁରୁତ୍ୱ ଦେଉ ନାହାନ୍ତି, ତାର ଦକ୍ଷତାକୁ ଉପେକ୍ଷା କରୁଛନ୍ତି । ସେହିପରି ମହାବିଦ୍ୟାଳୟ ଯାଉଥିବା ଛାତ୍ରଛାତ୍ରୀ ଏବଂ ଯୁବବର୍ଗଙ୍କ ପାଇଁ ନିଶା ଏବେ କାଳ ସାଜିଛି । ପୂର୍ବରୁ ନିଶା ଦ୍ରବ୍ୟ କାରବାର ସୀମିତ ଥିଲା ବେଳେ, ଏହା ବ୍ୟାପକ ହୋଇଛି । ଗଞ୍ଜେଇ, ମଦ, ଧଳାଜହର ପ୍ରତି ଗଳିକନ୍ଦିରେ ମିଳୁଛି । ବିଶେଷ କରି ଧଳାଜହର ସେବନ ଯୁବବର୍ଗକୁ ପଥଭ୍ରଷ୍ଟ କରି ଦେଇଛି । ମହାମାରୀ ସମୟରେ ଅନେକ ନିଜ ଲୋକଙ୍କୁ ହରାଇ ମାନସିକ ଚାପଗ୍ରସ୍ତ ହେବା ଦେଖିବାକୁ ମିଳିଥିଲା । ଏ କ୍ଷେତ୍ରରେ ସମ୍ପର୍କୀୟ, ସାଙ୍ଗସାଥୀଙ୍କ ଭୂମିକା ଗୁରୁତ୍ୱ ବହନ କରେ ।
