ବିବାଦରେ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ : ପଶ୍ଚିମଦ୍ଵାର ଠାରୁ ବଦଳିଗଲା ଦକ୍ଷିଣଦ୍ୱାର

ପୁରୀ : ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଡିଜିଙ୍କ ସତର୍କତା ପରେ ବି ଶୁଣିବାକୁ ନାରାଜ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ । ଶ୍ରୀମନ୍ଦିରର ୧୦୦ ମିଟର ପରିଧିରେ ଖନନ ଶ୍ରୀମନ୍ଦିର ଓ ଏହାର ଐତିହ୍ୟକୁ ବିପଦ ଥିବା ଦର୍ଶାଇଥିଲେ ବି ଜାରି ରହିଛି ଖନନ । ପ୍ରଥମେ ପଶ୍ଚିମଦ୍ବାରରେ ୨୦ ରୁ ୨୫ ଫୁଟ ଗର୍ତ୍ତ କରାଯାଇଥିଲା । ଏବେ ଦକ୍ଷିଣଦ୍ବାରରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି କରାଯାଇଛି । ପଶ୍ଚିମଦ୍ବାରଠାରୁ ବଳିଯାଇଛି ଦକ୍ଷିଣଦ୍ବାର । ପାହାଡ଼ ଉଚ୍ଚରେ ଥିବା ମାଟିକୁ କାଟି ଏଠାରେ ମୂଳଦୁଆ ପକାଯାଉଛି । ଯାହା ଶ୍ରୀମନ୍ଦିର ବିପଦକୁ ଆହୁରି ବଢ଼ାଇ ଦେଇଛି । ଶ୍ରୀମନ୍ଦିର ସୁରକ୍ଷାକୁ ଚରମ ଅଣଦେଖା ଭକ୍ତ, ସେବାୟତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବିଭିନ୍ନ ସଂଗଠନ ମହଲରେ ଅସନ୍ତୋଷ ଭରି ଦେଇଛି । ସିଧାସଳଖ କହିଛନ୍ତି, ବିକାଶ କରାଯାଉ, କିନ୍ତୁ ଶ୍ରୀମନ୍ଦିର ସୁରକ୍ଷାକୁ ପ୍ରାଥମିକତା ଦେଇ କରାଯାଉ ।

ଐତିହ୍ୟ କରିଡର ଶିଳାନ୍ୟାସ ପରେ ଏବେ ପୂର୍ବ, ପଶ୍ଚିମ ଓ ଦକ୍ଷିଣଦ୍ବାରରେ ଖନନ ଜାରି ରହିଛି। ପ୍ରକଳ୍ପ କାମ ନେଇଥିବା ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ ପ୍ରଥମେ ପଶ୍ଚିମଦ୍ବାରରେ ଖନନ ଆରମ୍ଭ କରିଥିଲା । ଏହି କାମ ଦେଖି ପ୍ରତ୍ନତତ୍ତ୍ବ ବିଭାଗ ବି ଶ୍ରୀମନ୍ଦିର ପ୍ରଶାସନ ଓ ଓବିସିସିକୁ ଚିଠି କରିଥିଲା । ତଥାପି ଏ ଦିଗରେ ଉଭୟ ନିରବ ରହିଛନ୍ତି ଓ ନିର୍ମାଣ କାର୍ଯ୍ୟକୁ ଜୋରଦାର କରିଛନ୍ତି । ପ୍ରତ୍ନତତ୍ତ୍ବ ବିଭାଗ ଡିଜିଙ୍କ ଉଦ୍‌ବେଗ ପରେ ବି ପଶ୍ଚିମଦ୍ବାର ଖନନ ପରେ ଏବେ ଦକ୍ଷିଣଦ୍ବାରରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି କରାଯାଇଛି । ଏଠାରେ ବି ତରବରିଆ ଖନନ ସାରି କଂକ୍ରିଟ୍‌ର ମୂଳଦୁଆ କାମ ଆରମ୍ଭ ହୋଇସାରିଛି ।

ପ୍ରତ୍ନତତ୍ତ୍ବ ବିଭାଗର ଜଣେ ବରିଷ୍ଠ ଇଂଜିନିୟର କହିଛନ୍ତି, ଅଳ୍ପ ଖନନ କରିଥିଲେ ଆମେ କିଛି ଆପତ୍ତି ଉଠାଇନଥାନ୍ତୁ । କିନ୍ତୁ ଯେଉଁଭଳି ଖନନ କରାଯାଉଛି, ତାହା ଶ୍ରୀମନ୍ଦିର ଉପରେ ପ୍ରଭାବ ପକାଇବା ସ୍ବାଭାବିକ । କାରଣ ଏହାଦ୍ବାର ଶ୍ରୀମନ୍ଦିରକୁ ତଳୁ ଜାବୁଡ଼ି ଧରିଥିବା ବାଲି ଓ ମାଟିର ଶୃଙ୍ଖଳ ବିଗିଡ଼ିବ । ପୂର୍ବରୁ ‌ନିର୍ମାଣ ପାଇଁ ରଡ୍‌ କିମ୍ବା କଂକ୍ରିଟ୍‌ ବ୍ୟବହାର କରାଯାଉନଥିଲା । କେବଳ ପଥର ଉପରେ ପଥର ‌ରଖି ନିର୍ମାଣ କରାଯାଉଥିଲା । ଚୁନ, ଗୁଡ଼ ଆଦିର ମିଶ୍ରଣରେ ଯୋଡ଼େଇ କରାଯାଉଥିଲା । ସେବେର ମନ୍ଦିର ନିର୍ମାଣ ଶୈଳୀ ବି ଭିନ୍ନ ଥିଲା । ବାଲିକୁ ଗୋଲାକାରରେ ଗଦା କରି ପଥର ଉପରେ ପଥର ଥୋଇ ମନ୍ଦିର ଗଢ଼ାଯାଉଥିଲା । ଏଣୁ ଆଜିର କଂକ୍ରିଟ୍‌ ନିର୍ମାଣ ତୁଳନାରେ ସେ କାଳର ନିର୍ମାଣ ନିଶ୍ଚିତ ଦୁର୍ବଳ ରହିବ । ଦ୍ବିତୀୟ କଥା ଏହା ବହୁ ପୁରାତନ ମନ୍ଦିର । ଏଣୁ ଏତେ ତଳକୁ ଖନନ କଲେ ଶ୍ରୀମନ୍ଦିରରେ ଫାଟ ସୃଷ୍ଟି ହେବା ସହ କୀର୍ତ୍ତିରାଜି ନଷ୍ଟ ହେବ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଅନ୍ୟପଟେ ପ୍ରତ୍ନତତ୍ତ୍ବ ବିଭାଗ ଡିଜି ଭି. ବିଦ୍ୟାଭାରତୀ ଫେରିବା ପରେ ଐତିହ୍ୟ କରିଡର ପ୍ରସଙ୍ଗରେ ପ୍ରତ୍ନତତ୍ତ୍ବ ବିଭାଗର ନିରବତା ବି ସନ୍ଦେହ ବଢ଼ାଇବାରେ ଲାଗିଛି ।

Leave a Reply

Your email address will not be published. Required fields are marked *