ବ୍ରହ୍ମପୁର : ଦୀର୍ଘଦିନ ଧରି ପୁଲିସକୁ ନାକେଦମ କରିଆସୁଥିବା ଏକ ସିନ୍ଧି ଚୋର ଗ୍ୟାଙ୍ଗ୍କୁ ପୁଲିସ କାବୁ କରିଛି । ବ୍ରହ୍ମପୁର କନିପି ହାଟ ଇଲାକାରେ ବିଳମ୍ବିତ ରାତିରେ ଏହି ଗ୍ୟାଙ୍ଗ୍ ଡକାୟତି ଲାଗି ଯୋଜନା କରୁଥିବାବେଳେ ପୁଲିସ ଚଢ଼ାଉ କରି ୫ ଜଣଙ୍କୁ ଗିରଫ କରିଛି । କନିସି ଅଞ୍ଚଳରେ ଡକାୟତି ଯୋଜନାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ସମୟରେ ପୁଲିସ ସୂଚନା ପାଇ ସେଠାରେ ଅତର୍କିତ ଚଢ଼ଉ କରିଥିଲା । ଏହି ସମୟରେ ସେମାନେ ପୁଲିସ ଉପରକୁ ଦୁଇଟି ବୋମା ଫିଙ୍ଗି ଖସିଯିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୋଲିସ ସମସ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲା ।
ସେହିପରି ବୋମାମାଡ଼ରେ କୌଣସି ପୁଲିସ କର୍ମଚାରୀ ଆହତ ହୋଇ ନଥିବା ଜଣାପଡ଼ିଛି । ଏନେଇ କେସ୍ ନମ୍ବର ୮୦ ଅନୁସାରେ ଏକ ମାମଲା ରୁଜୁ ହେବା ସହ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତମାନେ ଗୋଳନ୍ଥରା ଥାନା ଇଲାକାରେ ୪ଟି , ସଦର ଥାନା ଇଲାକାରେ ୩ଟି , ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଇଲାକାରେ ୩ଟି , ଗୋପାଳପୁର ଥାନା ଇଲାକାରେ ୨ଟି ଓ ବଡ଼ବଜାର ଥାନା ଇଲାକାରେ ୨ଟି ଚୋରି ମାମଲାରେ ସମ୍ପୃକ୍ତ ଥିବା ଜଣାପଡିଛି ।
ଗିରଫ ଅଭିଯୁକ୍ତମାନେ ହେଲେ ବଡ଼ବଜାର ଥାନା ଅନ୍ତର୍ଗତ ସୁକୁଣ୍ଡାର ସିଏଚ୍.ରାମବାବୁ( ୨୧ ), ଏସ୍.ଶ୍ରୀନୁ ( ୧୯ ), ଏସ୍.ଗଣେଶ( ୪୦ ), ସିଏଚ୍.ସେନାବାବୁ( ୧୯ ) ଓ ପି.ନରସିଂହ ( ୧୯ ) । ସେମାନଙ୍କଠୁ ଗୋଟିଏ କାତି, ଦୁଇଟି ଲୁହାଛଡ଼, ୩ଟି ବୋମା, ୪୦ ଗ୍ରାମ୍ ସୁନା ଓ ୨ କେଜିରୁ ଅଧିକ ରୁପା ଅଳଙ୍କାର ସମେତ ୧୫ ହଜାର ଟଙ୍କାର ବିଦେଶୀ ନୋଟ୍ ଓ ୫ ହଜାର ଟଙ୍କା ଜବତ ହୋଇଛି ।
