ଢେଙ୍କାନାଳ : ଅରୁଣାଚଳ ପ୍ରଦେଶରୁ ଓଡ଼ିଶାକୁ ଚୋରାଚାଲାଣ ହୋଇ ଆସୁଥିବା ବିପୁଳ ପରିମାଣର ବିଦେଶୀ ମଦକୁ ଅବକାରୀ ବିଭାଗ ଜବତ କରିଛି । କଣ୍ଟେନର୍ର ଉପର ପ୍ଲେଟ୍ ଗ୍ୟାସ୍ କଟରରେ କାଟି ଭିତରୁ ଶହ ଶହ ପେଟି ମଦ ବାହାର କରାଯାଇଥିଲା । ଏଥିପାଇଁ କର୍ମଚାରୀମାନଙ୍କୁ ଦୀର୍ଘ ଲାଗିଥିଲା ୯ ଘଣ୍ଟା । ଚୋରା ମଦ ଚାଲାଣ ସଂପର୍କରେ ଖବରପାଇ ଅବକାରୀ କମିସନର ଆଶିଷ ସିଂହ ଢେଙ୍କାନାଳ ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କୁ ସୂଚନା ଦେଇଥିଲେ । ଆର୍ଜେ-୩୨ଜିଏ-୮୨୦୫ ନମ୍ବର ୧୨ ଚକିଆ ଟାଟା ଟ୍ରକ୍ରେ ବୋଝେଇ ହୋଇଥିବା ଏକ ୱାଟର ଫିଲ୍ଟର କଂଟେନରରେ ଏହି ଆସାମ ବିଦେଶୀ ମଦ ଚାଲାଣ ହୋଇଆସୁଥିବା ସଂପର୍କରେ ନିର୍ଦ୍ଦିଷ୍ଟ କେତେକ ଜିଲ୍ଲାର ବିଭାଗୀୟ ଅଧିକାରୀଙ୍କୁ କମିସନର ସୂଚନା ଦେଇ ତାହା ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସଂପୃକ୍ତ କଂଟେନରଟି ଢେଙ୍କାନାଳ ଭିତରକୁ ହିନ୍ଦୋଳ ପଟୁ ପ୍ରବେଶ କରିବା ବେଳେ, ଗତକାଲି ରାତିରେ ହିନ୍ଦୋଳ ବ୍ଲକ୍ ବାଉଁଶ ପୋଖରୀ ଠାରେ ଜଗି ରହିଥିବା ମୋବାଇଲ୍ ସ୍କ୍ବାଡ୍ ଚଢ଼ଉ କରି ତାହାକୁ ଜବତ କରିଥିଲେ । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି ।
ଚୋରାଚାଲାଣ ବେଳେ ବିପୁଳ ପରିମାଣର ବିଦେଶୀ ମଦ ଜବତ
ଗିରଫ ଅଭିଯୁକ୍ତମାନେ ହେଲେ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଗୋଡିଡିହ ଗ୍ରାମର ଅଭିନାଶ ମହାରଣା (୩୨), ହରିୟାଣାର ଚହଟି ଓଲିଆ ଗ୍ରାମର ବିଜେନ୍ଦ୍ର (୩୨) ଏବଂ ଉଦୟସିଂହପୁରର ସତୀଶ ନନ୍ଦଲ(୬୨) । ସଂପୃକ୍ତ ବେଆଇନ ମଦ ଢେଙ୍କାନାଳର ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଆସୁଥିବା ସନ୍ଦେହ କରାଯାଉଛି । ତେବେ ଗିରଫ ଅଭିଯୁକ୍ତମାନେ ଏହାକୁ ଅନୁଗୁଳ ନେଇ ଯାଉଥିଲେ ବୋଲି ବୟାନ ଦେଇଥିବା ବିଭାଗୀୟ ଅଧିକାରୀମାନେ ପ୍ରକାଶ କରିଛନ୍ତି । କଂଟେନର ଭିତରୁ ୩୪୪ ପ୍ୟାକେଟ୍ ବାକାର୍ଡି ବ୍ଲାକ୍ ରମ୍, ୨୨୮ ପ୍ୟାକେଟ୍ ହୁଇସ୍କି, ୪୯୮ ପ୍ୟାକେଟ୍ ରମ୍ ଏପରି ୧୦୭୦ ପ୍ୟାକେଟ୍ ମଦ ବୋତଲ ଜବତ କରାଯାଇଛି । ପ୍ରତ୍ୟେକ ବୋତଲରେ ୧୮୦ ମିଲି ପ୍ୟାକ୍ ଥିବାବେଳେ, ସମୁଦାୟ ୯୨୪୪.୮୦୦ ଲିଟର ମଦ ଜବତ ହୋଇଛି । ଏହାର ଆନୁମାନିକ ବଜାର ମୂଲ୍ୟ ୭୫ ରୁ ୮୦ ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ଅରୁଣାଚଳ ପ୍ରଦେଶରେ ବିକ୍ରି ହେବା ପାଇଁ ଉଦ୍ଦିଷ୍ଟ ବିଦେଶୀ ମଦ ଗତ ଏକ ବର୍ଷ ହେଲା ଓଡ଼ିଶାକୁ ଚାଲାଣ ହୋଇଆସୁଥିଲା । ଚଢ଼ଉରେ ଅନୁଗୁଳ ଏବଂ ସମ୍ବଲପୁର ଅବକାରୀ କର୍ମଚାରୀମାନେ ସହଯୋଗ କରିଥିଲେ ।
