ବଦଳିପାରେ ଯୁକ୍ତ ୨ ମାର୍କିଂ ପଦ୍ଧତି, ପ୍ରସ୍ତାବ ଉପରେ ଆଲୋଚନା ଲାଗି କମିଟି ଗଠନ

ଭୁବନେଶ୍ବର : ଏପ୍ରିଲରେ ଯୁକ୍ତ ୨ ପରୀକ୍ଷା । ତା’ ପୂର୍ବରୁ ପ୍ରାକ୍ଟିକାଲ ପରୀକ୍ଷା ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଚାଲିଛି । ଚଳିତ ମାସ ଶେଷ ସପ୍ତାହରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ କରିବାକୁ ପରିଷଦ ଯୋଜନା ରଖିଥିବା ବେଳେ, ପରୀକ୍ଷାର ମାର୍କିଂ ପଦ୍ଧତିରେ ପରିବର୍ତନ କରିବାକୁ ଏକ ପ୍ରସ୍ତାବ ଆସିଛି । ଯୁକ୍ତ ୨ ମୁଖ୍ୟ ପରୀକ୍ଷା ମାର୍କ ସହ ଶେଷ ତ୍ରୈମାସିକ ପରୀକ୍ଷାର ମାର୍କକୁ ମିଶାଇ ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ କରିବା ଉପରେ ବିଚାରବମର୍ଷ ଜାରି ରହିଛି । ଏହା ଉପରେ ବ୍ୟାପକ ଆଲୋଚନା ଲାଗି କମିଟି ମଧ୍ୟ ଗଠନ କରାଯାଇଛି । ଯେଉଁଥିରେ ଶିକ୍ଷାବିତ୍‌, ପରିଷଦ ଓ ଗଣଶିକ୍ଷା ବିଭାଗର ଅଧିକାରୀମାନେ ରହିଛନ୍ତି । ଉକ୍ତ କମିଟି ରିପୋର୍ଟ ଆଧାରରେ ପରବର୍ତୀ ପଦକ୍ଷେପ ନିଆଯିବ । କରୋନା ଯୋଗୁଁ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ମଧ୍ୟ ଏନେଇ ଆଲୋଚନା ହୋଇଛି ।

ଅନ୍ୟପକ୍ଷରେ ଯୁକ୍ତ ୨ ପରୀକ୍ଷାରେ ସ୍ବଚ୍ଛତା ଅବଲମ୍ବନ ଉପରେ ଗୁରୁତ୍ବ ଦିଆଯାଇଛି । ବିଶେଷକରି କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ବାଡ୍‌ ଗଠନ କରାଯିବ । ଜୋନ୍‌ ଓ ସେଣ୍ଟ୍ରାଲସ୍ତରରେ ଗଠନ ହେବାକୁ ଥିବା ଫ୍ଲାଇଂ ସ୍କ୍ବାଡ୍‌ରେ ଅଭଜ୍ଞତା ସମ୍ପନ୍ନ ଅଧ୍ୟାପକଙ୍କୁ ସାମିଲ କରାଯିବ । ୧୦ ବର୍ଷର ଅଭିଜ୍ଞତା ସହ କନିଷ୍ଠ ଅଧ୍ୟାପକ ବର୍ଗ କିମ୍ବା ତଦୁର୍ଦ୍ଧ ପ୍ରାର୍ଥୀ ସ୍କ୍ବାଡ୍‌ରେ ସଦସ୍ୟ ରହିବେ । ତାହାକୁ ଦୃଷ୍ଟିରେ ରଖି ପରିଷଦ ପକ୍ଷରୁ ସମସ୍ତ ଯୁକ୍ତ ୨ କଲେଜଗୁଡ଼ିକ ଠାରୁ ଅଧ୍ୟାପକଙ୍କ ତାଲିକା ମଗାଯାଇଛି । ଇଚ୍ଛୁକ ଥିବା ଅଧ୍ୟାପକଙ୍କ ତାଲିକା ଆସନ୍ତା ୫ ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି । ଅଧ୍ୟାପକଙ୍କ ନାମ, ପଦବି ସମେତ ମୋବାଇଲ୍‌ ଓ ଇ-ମେଲ୍‌ ଆଇଡି, ବିଷୟ, କାର୍ଯ୍ୟରେ ଯୋଗଦେବା ସମୟ, କେଉଁ ସ୍କ୍ବାଡ୍‌ରେ ସାମିଲ ହେବାକୁ ଆଗ୍ରହୀ ଅଛନ୍ତି ଆଦି ବିଷୟରେ ଜଣାଇବେ । ଭୁବନେଶ୍ବର ସ୍ଥିତ ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟ ଅଧୀନ କଲେଜଗୁଡ଼ିକର ଅଧ୍ୟକ୍ଷମାନେ ସିଧାସଳଖ ଏନେଇ ପରୀକ୍ଷା ନିୟନ୍ତ୍ରକଙ୍କୁ ପଠାଇବେ । ବାରିପଦା ଓ ବ୍ରହ୍ମପୁର ଅନ୍ୟ ଜୋନ୍‌ ଅଫିସ୍‌ ଅଧୀନ ଯୁକ୍ତ ୨ କଲେଜର ଅଧ୍ୟକ୍ଷମାନେ ଜୋନ୍‌ର ଉପ ସଚିବଙ୍କ ନିକଟକୁ ପଠାଇବେ । ସମ୍ବଲପୁର ଜୋନ୍‌ ଅଧୀନ ଯୁକ୍ତ ୨ କଲେଜର ଅଧ୍ୟକ୍ଷମାନେ ଅତିରିକ୍ତ ସଚିବଙ୍କ ନିକଟକୁ ପଠଇବାକୁ କୁହାଯାଇଛି । ଅଧ୍ୟାପକଙ୍କ ତାଲିକା ପହଞ୍ଚିବା ପରେ ସ୍କ୍ବାଡ୍‌ ଗଠନ କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *