ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଲଘୁଚାପ

the breaking news only:
Dec 8, 2018

ଭୁବନେଶ୍ବର : ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ୧୦ ତାରିଖ ବେଳକୁ ଏହାର ଚିତ୍ର ସ୍ପଷ୍ଟ ହେବ। ଏହି ଲଘୁଚାପ ୧୩ ତାରିଖ ବେଳକୁ ଗଭୀର ଅବପାତର ରୂପ ନେବ। ୧୫ ତାରିଖ ବେଳକୁ ବାତ୍ୟାରେ ପରିଣତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ପୂର୍ବ ଓ ଦକ୍ଷିଣ ଭାରତ ଉପକୂଳରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବ। ତେବେ କେଉଁ ରାଜ୍ୟ ଉପକୂଳକୁ ଛୁଇଁବ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ୁ ନାହିଁ। ତଥାପି ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପରେ ଏହାର ପ୍ରଭାବ ରହିପାରେ। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଲଘୁଚାପର ଗତି ନେଇ ସ୍ପଷ୍ଟ ଚିତ୍ର ଜଣାପଡ଼ିବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି ଯେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଭାରତ ମହାସାଗର ନିକଟରେ ଲଘୁଚାପ ବଳୟ ସୃଷ୍ଟି ହେବ। ପରବର୍ତୀ ସମୟରେ ଅବପାତର ରୂପ ନେଇପାରେ। ଅନ୍ତର୍ଜାତୀୟ ପାଣିପାଗ ଏଜେନ୍ସିମାନଙ୍କ ଆକଳନ ହେଉଛି ଯେ ୧୩ ତାରିଖ ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇ ଅବପାତରେ ପରିଣତ ହେବ। ପ୍ରଭାବରେ ଆଣ୍ଡାମାନ ନିକୋବର ଦୀପପୁଞ୍ଜରେ ପ୍ରବଳ ବର୍ଷା ଲାଗିରହିବ। ଏଥିସହ କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ, ପଣ୍ଡିଚେରି, ଲାକ୍ଷାଦୀପ, ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ବି ପ୍ରଭାବ ରହିବ। ୧୪ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ। କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଆସିବାର ସମ୍ଭାବନା ଅଧିକ ରହିଛି।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ କୁଳପତି ତଥା ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା କଥା ହେଲା ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ରମଶଃ ଉତ୍ତର ଦିଗକୁ ଗତି କରିବ। ପ୍ରଭାବରେ ଆଣ୍ଡାମାନ ନିକୋବରରେ ପ୍ରବଳ ବର୍ଷା ଲାଗିରହିବ। ଅଧିକ ଘନୀଭୂତ ହୋଇ ତାହା ମିଆଁମାର ଆଡ଼କୁ ଯିବାର ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି ଯେ ଲଘୁଚାପ କେଉଁ ଆଡ଼େ ଗତି କରିବ ଏବେ କହିବା କଷ୍ଟକର। ତଥାପି ଲଘୁଚାପର ପ୍ରଭାବ ୧୪ରୁ ୧୭ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ପଡ଼ିବ। ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶାରେ ବି ବର୍ଷାର ପ୍ରଭାବ ରହିବ। ଏବେ ଯେଉଁ ସ୍ଥିତି ରହିଛି ସେଥିରୁ ଜଣାପଡ଼ୁଛି ଯେ ବର୍ଷାର ପରିମାଣ ଅଧିକ ରହିବ।

Leave a Reply

Your email address will not be published. Required fields are marked *