ପ୍ରଶାସନକୁ ହଟହଟା କଲା ଷ୍ଟ୍ରଙ୍ଗରୁମ୍‌ରୁ ବାଲଟ ବକ୍ସ ଚୋରି ଗୁଜବ

ବାଲିଅନ୍ତା : ଷ୍ଟ୍ରଙ୍ଗରୁମ୍‌ରୁ ବାଲଟ ବକ୍ସ ଚୋରି ହୋଇଯାଇଛି । ବାହାରେ କେଉଁଠି ବାଲଟ୍‌ ବଦଳାଇ ପୁଣି ଷ୍ଟ୍ରଙ୍ଗରୁମ୍‌ରେ ରଖାଯିବ । ଆଜି ଏଭଳି ଏକ ଗୁଜବ ଖେଳିଯିବା ପରେ ବାଲିଅନ୍ତା ବ୍ଲକ୍‌ ପରିସର ଲୋକାରଣ୍ୟ ହୋଇଯାଇଥିଲା । ସବୁ ଦଳର ପ୍ରାର୍ଥୀ ଓ ସମର୍ଥକମାନେ ରୁଣ୍ଡ ହୋଇ ପାଟିତୁଣ୍ଡ କରିଥିଲେ। ଶାସକ ଦଳ ଇଙ୍ଗିତରେ ଏଭଳି ହୀନ ଷଡ଼୍‌ଯନ୍ତ୍ର କରାଯାଇଛି ଓ ବାଲଟ୍‌ ଟାମ୍ପରିଂ କରିବାକୁ ସୁଚିନ୍ତିତ ଯୋଜନା କରାଯାଇଛି ବୋଲି ଅଭିଯୋଗ ହେଲା । ବ୍ଲକ୍ ପ୍ରଶାସନ ଓ ପୁଲିସ ଅଧିକାରୀମାନେ ଯେତେ ବୁଝାଇଲେ ବି କେହି ବୁଝିବାକୁ ନାରାଜ ଥିଲେ । ଶେଷରେ ପ୍ରାର୍ଥୀମାନଙ୍କ ପ୍ରତିନିଧି ଦଳ ସମ୍ମୁଖରେ ଯାଞ୍ଚ ହେବା ପାଇଁ କଥା ଛିଡ଼ିଲା । ଯାଞ୍ଚ ବି ହେଲା । ଯାଞ୍ଚ ପରେ ଏହା ଏକ ଗୁଜବ ବୋଲି ଜଣାପଡ଼ିଥିଲା ଓ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଆଜି ଦିନ ତମାମ୍ ଏହି ଘଟଣା ବାଲିଅନ୍ତାରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନାନୁସାରେ, ଆଜି ସକାଳ ୮ଟା ୪୬ ମିନିଟ୍‌ରୁ ଷ୍ଟ୍ରଙ୍ଗରୁମ୍‌ର ସିସି କ୍ୟାମେରା ହଠାତ୍ ଅଚଳ ହୋଇଯାଇଥିଲା । ପ୍ରାୟ ୧୧ଟା ପର୍ଯ୍ୟନ୍ତ ସିସି କ୍ୟାମେରା ସେମିତି ଅଚଳ ହୋଇ ରହିଲା । କେହି ମରାମତି କରିବା ନାଁ ଧରିଲେ ନାହିଁ । ଏହି କଥାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ବାଲଟ ବକ୍ସ ଚୋରି ହୋଇଛି ବୋଲି ହଠାତ୍ କେହି ପ୍ରଚାର କରିଦେଲା । କଥାଟି ବିଜୁଳି ବେଗରେ ଖେଳିଗଲା । ଚାହୁଁ ଚାହୁଁ ବହୁ ପ୍ରାର୍ଥୀ ନିଜ ନିଜ ସମର୍ଥକଙ୍କୁ ଧରି ବ୍ଲକ୍ ପରିସରରେ ଭିଡ଼ ଜମାଇଥିଲେ ଓ ପ୍ରବଳ ହୋ-ହଲ୍ଲା କରିଥିଲେ ।ଖବର ପାଇ ଥାନା ଅଧିକାରୀ, ତହସିଲଦାର ସରୋଜ କୁମାର ପଣ୍ଡା, ବିଡିଓ ନାରାୟଣ ଚନ୍ଦ୍ର ନାୟକ ଓ ଅତିରିକ୍ତ ତହସିଲଦାର ସଂଯୁକ୍ତା ସ୍ବାଇଁ ପ୍ରମୁଖ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ପରିସ୍ଥିତି ଶାନ୍ତ ପଡ଼ିନଥିଲା । ଶେଷରେ ଏକ ପ୍ରତିନିଧି ଦଳ ଷ୍ଟ୍ରଙ୍ଗରୁମ୍‌ ଯାଇ ତାଲା ସିଲ୍‌ ଠିକ୍‌ ଥିବା ଦେଖିବା ପରେ ବୁଝିଥିଲେ । ଆସନ୍ତାକାଲି ବାଲିଅନ୍ତା ପଞ୍ଚାୟତ ସମିତି ପରିସରରେ ଭୋଟ୍‌ ଗଣତି ଆରମ୍ଭ ହେବ । ଖୋର୍ଦ୍ଧା ଜିଲ୍ଲା ପରିଷଦର ୧୬, ୧୭ ଓ ୧୮ ନମ୍ବର ଜୋନ୍‌ର ଭୋଟ୍‌ ଗଣତି ଯଥାକ୍ରମେ ୨୬, ୨୭ ଓ ୨୮ ତାରିଖରେ ହେବ । ଆସନ୍ତାକାଲି ୧୬ ନମ୍ବର ଜୋନ୍‌ରୁ ଗଣତି ଆରମ୍ଭ ହେବ । ସକାଳ ୮ଟା ସମୟରୁ ଭୋଟ୍‌ ଗଣତି ଆରମ୍ଭ ହେବ । ଶୃଙ୍ଖଳା ରକ୍ଷା ପାଇଁ ୧ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *