ବାରିପଦା : ବାରିପଦା ସହରରେ ଥିବା ବିଭିନ୍ନ ପାର୍କରୁ ଟିକସ ଆଦାୟରେ ବ୍ୟାପକ ଅନିୟମିତତା ହୋଇଛି । ଜାଲ୍ ରସିଦ୍ ଦେଇ ଲୋକଙ୍କଠାରୁ ଟିକସ ଆଦାୟ କରାଯାଇଛି । ଏହିଭଳି ଅଭିଯୋଗ ପରେ ବାରିପଦା ପୌର କାର୍ଯ୍ୟାଳୟରେ ମଙ୍ଗଳବାର ଦିନ ଭିଜିଲାନ୍ସ ଟିମ୍ ଚଢ଼ଉ କରିବା ସହିତ ବ୍ୟାପକ ତନାଘନା କରିଛି । ମିଳିଥିବା ସୂଚନା ଅନୁସାରେ, ପାର୍କ ଟିକସ ବାବଦ ଆୟବ୍ୟୟରେ ତାଳମେଳ ନରହିବା, ଲକ୍ଷାଧିକ ଟଙ୍କା ହେରଫେର ହୋଇଥିବା ଭଳି ଅଭିଯୋଗ ରହିଥିଲା । ଏହି ଅଭିଯୋଗ ପରେ ବାରିପଦା ଭିଜିଲାନ୍ସ ଡିଏସ୍ପି ଶରତ ମହାପାତ୍ରଙ୍କ ନେତୃତ୍ବରେ ୧୦ ଜଣିଆ ଟିମ୍ ଆଜି ଦିନତମାମ ପୌର କାର୍ଯ୍ୟାଳୟରେ ଛାନ୍ଭିନ୍ କରିଥିଲେ । ଛାନ୍ଭିନ୍ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିବା ସହିତ ପୌର କାର୍ଯ୍ୟାଳୟର କେତେଜଣ ଯନ୍ତ୍ରୀ ଓ ପାର୍କ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ପଚରାଉଚରା କରିଥିଲେ । ତେବେ, ତଦନ୍ତ ଚାଲିଥିବାରୁ ଏ ନେଇ ଅଧିକ କିଛି କହିବାକୁ ଡିଏସ୍ପି ଶ୍ରୀ ମହାପାତ୍ର ମନା କରିଛନ୍ତି । ଏ ସଂପର୍କରେ ବିଭାଗର ମୁଖ୍ୟଯନ୍ତ୍ରୀ ସଚ୍ଚିଦାନନ୍ଦ ଶତପଥୀଙ୍କୁ ପଚାରିବାରୁ ଚଢ଼ଉର କାରଣ ସମ୍ପର୍କରେ ସେ କିଛି ଜାଣିନଥିବା କହିଛନ୍ତି । ସେହିପରି ସହରର ସମସ୍ତ ପାର୍କ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ଦେବାଶିଷ ସ୍ବାଇଁଙ୍କ କହିବା କଥା ସେ କେବଳ ଶ୍ରମିକ ନିୟୋଜନ କଥା ବୁଝୁଛନ୍ତି। ଅନିୟମିତତା ସମ୍ପର୍କରେ କିଛି ଜାଣନ୍ତିନି। ତେବେ, ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଆଜି ପୌର କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ଉ ଚର୍ଚ୍ଚାର ବିଷୟ ପାଲଟିଛି ।
