ସାଲେପୁର : କଟକ ଜିଲ୍ଲା ସାଲେପୁର ଶିଶୁଆ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ଦିଲ୍ଲୀପ ଦାଶଙ୍କ ଘର ଉପରକୁ ବୋମାମାଡ଼ । ଦିଲ୍ଲୀପଙ୍କ ଘର ଉପରକୁ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀପଙ୍କ ଘରକୁ ଲଗାତାର ଦୁଇଟି ବୋମାମାଡ଼ ହୋଇଥିବା ବେଳେ, ଏଥିରେ ତାଙ୍କ ପତ୍ନୀ ନିରୁପମା ପତି ଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ତେବେ ବୋମାମାଡ଼ ସମୟରେ ଦିଲ୍ଲୀପ ଘରେ ନଥିଲେ । ସେ ପୁରୁଷୋତ୍ତମପୁର ଗାଁକୁ ନିର୍ବାଚନୀ ପ୍ରଚାରରେ ଯାଇଥିଲେ । କଟକ ଜିଲ୍ଲା ସାଲେପୁର ବ୍ଲକରେ ତୃତୀୟ ପର୍ଯ୍ୟାୟରେ ଆସନ୍ତା ୨୦ ତାରିଖରେ ଭୋଟ ଗ୍ରହଣ ହେବାକୁ ଯାଉଥିବାବେଳେ, ତା’ ପୂର୍ବରୁ ଶିଶୁଆ ଗ୍ରାମ ପଂଚାୟତରେ ସଭ୍ୟ ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ଼ ହୋଇଛି । ଖବର ପାଇ ସାଲେପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
