ପାଟଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ବେହେରାବନ୍ଧ ଗାଁ ସହରଠାରୁ ମାତ୍ର ୨ କି.ମି. ଦୂର । ଗଙ୍ଗାସାଗର ପଂଚାୟତର ୬ଟି ଗାଁ ମଧ୍ୟରୁ ଗୋଟିଏ ହେଉଛି ବେହେରାବନ୍ଧ ଗାଁ । ଦୁଇ ଓ୍ବାର୍ଡ ବିଶିଷ୍ଟ ଏହି ଗାଁରେ ସମୁଦାୟ ୪୫୬ ଭୋଟର ରହିଥିଲେ ମଧ୍ୟ ଚଳିତ ନିର୍ବାଚନ ଭୋଟର ତାଲିକାରେ ୧୦୧ ଜଣଙ୍କ ନାମ ବାଦ ପଡି କେବଳ ୩୫୫ ଜଣଙ୍କ ନାମ ତାଲିକାରେ ରହିଛି । ଏହା ଜଣାପଡିବା ମାତ୍ରେ ଗ୍ରାମବାସୀଙ୍କ ମଧ୍ୟରେ ଭାଳେଣି ପଡିଛି ।
ଅନ୍ୟପଟେ ଅସନ୍ତୁଷ୍ଟ ଗ୍ରାମବାସୀ ସ୍ଥାନୀୟ ଉପଜିଲ୍ଲାପାଳ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ସେମାନଙ୍କର ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ, ବାଦ ପଡିଥିବା ୧୦୧ ଭୋଟର ଯଦି ମତଦାନରୁ ବଂଚିତ ହେବେ ତା’ହେଲେ କୌଣସି ଗ୍ରାମବାସୀ ଭୋଟ୍ ନଦେଇ ଭୋଟ୍ ବର୍ଜନ କରିବେ ବୋଲି ଲିଖିତ ଭାବରେ ଜଣାଇଥିବା ଜଣାଯାଇଛି । ଗ୍ରାମବାସୀଙ୍କ କୌଣସି ଭୁଲ ନଥିବା ବେଳେ, ସରକାରୀ ଅଧିକାରୀମାନଙ୍କ ଖାମଖିଆଲ ନୀତି ଯୋଗୁଁ ଭୋଟ୍ ଦେବା ଭଳି ମୌଳିକ ଅଧିକାରରୁ ବଂଚିତ ହୋଇଥିବା ଦର୍ଶାଇ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ଗ୍ରାମବାସୀ । ଏ ସଂକ୍ରାନ୍ତରେ ଗ୍ରାମର ମହିଳାମାନଙ୍କ ନେତୃତ୍ବରେ ଗାଁ ମଣ୍ଡପ ଠାରେ ଗ୍ରାମବାସୀ ଏକ ସଭା କରି ନିଷ୍ପତ୍ତି ନେଇଛନ୍ତି । ବାଦ ପଡିଥିବା ୧୦୧ ଭୋଟର ଯଦି ମତଦାନରୁ ବଂଚିତ ହେବେ ତା’ହେଲେ କୌଣସି ଗ୍ରାମବାସୀ ଭୋଟ୍ ନ ଦେଇ ଭୋଟ୍ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
