ପ୍ରେସ ୟୁନିୟନ ରାୟଗଡା ଡିଷ୍ଟ୍ରିକ ପକ୍ଷରୁ ମାତୃପିତୃ ପୂଜନ ଦିବସ ପାଳିତ

ରାୟଗଡା : ପ୍ରେସ ୟୁନିୟନ ରାୟଗଡା ଡିଷ୍ଟ୍ରିକ ତରଫରୁ ଫେବୃଆରୀ ୧୪ ତାରିଖରେ ଆଜି ମାତୃପିତୃ ପୂଜନ ଦିବସ ରାୟଗଡା ସହରର ହଉସିଂ ବୋର୍ଡ କଲୋନୀ ସ୍ଥିତ ଶକ୍ତି ଅନୁଷ୍ଠାନର ବରିଷ୍ଠ ନାଗରିକ ଗୃହର ୨୫ ଜଣ ଅନ୍ତେବାସୀଙ୍କ ମଧ୍ୟରେ ପାଳିତ କରାଯାଇଥିଲା । ଏହି ଗୃହରେ ଅନ୍ତେବାସୀ ଭାବେ ରହୁଥିବା ୧୫ ଜଣ ବୃଦ୍ଧାଙ୍କୁ ଶାଢ଼ୀ ଏବଂ ୧୦ ଜଣ ବୃଦ୍ଧଙ୍କୁ ଲୁଙ୍ଗି, ଟାୱାଲ ବଣ୍ଟନ କରାଯାଇଥିବା ବେଳେ, ସେମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା । ପ୍ରେସ ୟୁନିୟନ ରାୟଗଡ଼ା ଡିଷ୍ଟ୍ରିକର ସଭାପତି ସୁବାଷ ଚନ୍ଦ୍ର ସୂର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସଙ୍ଘର ଉପଦେଷ୍ଠା ଶିବ ନାରାୟଣ ଗଉଡ଼, ଉପସଭାପତି ଆଲାରାମ ଭତ୍ରା, ଶ୍ରୀନିବାସ ମହାପାତ୍ର, ସାଧାରଣ ସମ୍ପାଦକ ବିଜୟ କୁମାର ମହାରଣା ପ୍ରମୁଖ ମଞ୍ଚାସୀନ ହୋଇଥିଲେ ।

ସଭାପତି ଶ୍ରୀ ସୂର୍ଯ୍ୟ ବରିଷ୍ଠ ନାଗରିକ ଗୃହର ଅନ୍ତେବାସୀମାନଙ୍କ ଠାରୁ ଆର୍ଶୀବାଦ ଭିକ୍ଷା କରି ଆଗାମୀ ଦିନଗୁଡିକରେ ସେମାନଙ୍କୁ ସାହାଯ୍ୟ କରିବାର ସୁଯୋଗ ଦେବା ପାଇଁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସେହିପରି ସଙ୍ଘର ଉପଦେଷ୍ଠା ଶ୍ରୀ ଗଉଡ଼ ମଧ୍ୟ ବରିଷ୍ଠ ନାଗରିକଙ୍କ ଆର୍ଶୀବାଦ ସମସ୍ତଙ୍କ ପାଇଁ ବରଦାନ ସଦୃଶ ହୋଇଥାଏ ବୋଲି କହିଥିଲେ । ଫେବୃଆରୀ ୧୪ ତାରିଖକୁ ଆଜିର ଯୁବପୀଢ଼ିମାନେ ବାହାର ଦେଶର ସଂସ୍କୃତିକୁ ଆଦରି ନେଇ ‘ଭେଲେଣ୍ଟାଇନ ଡେ’ ଭଳି ଦିବସ ପାଳନ କରୁଥିବା ବେଳେ, ପ୍ରେସ ୟୁନିୟନ ରାୟଗଡ଼ା ଡିଷ୍ଟ୍ରିକର କାର୍ଯ୍ୟକର୍ତା ତଥା ସାମ୍ବାଦିକ ବନ୍ଧୁମାନେ ବରିଷ୍ଠ ନାଗରିକଙ୍କ ଗହଣରେ ମାତୃପିତୃ ପୂଜନ ଦିବସ ପାଳନ କରୁଥିବାରୁ ଅନ୍ତେବାସୀଙ୍କ ସମେତ ବରିଷ୍ଠ ନାଗରିକ ଗୃହର ପରିଚାଳକ ସଂଗ୍ରାମ ପଟ୍ଟନାୟକ ସଙ୍ଘର ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଙ୍ଘର ସାଙ୍ଗଠନିକ ସମ୍ପାଦକ କମଳ ଲୋଚନ ଆମାରାପୁ, କୋଷାଧ୍ୟକ୍ଷ ଉଦୟ କିରଣ, ସଭ୍ୟ ଲୋକନାଥ ପାଳ, ରାଜ କୁମାର ଲିମା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ନବୀନ ସାହୁ, ଅମଜଦ ଅଲ୍ଲି, ସ୍ମୃତିରଞ୍ଜନ ମହାନ୍ତି, ତୁଷାର ରଞ୍ଜନ ସାହୁ, ସନ୍ତୋଷ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିବାବେଳେ କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ନାଗରିକ ଗୃହର ଗୁଣନିଧି ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *